ନୂଆଦିଲ୍ଲୀ: ବୈବାହିକ ସମ୍ବନ୍ଧିତ ଦୁଷ୍କର୍ମକୁ ନେଇ କୌଣସି ନିୟମ ରହିବା ଉଚିତ୍ କି ନାହିଁ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ମତାମତ କିମ୍ବା ପ୍ରସ୍ତାବ ଦିଆଯାଇ ନାହିଁ । ଫଳରେ ସୁପ୍ରିମକୋର୍ଟ ଏବେ ନିଜ ଆଡୁ ଏହି ମାମଲାରେ ଶୁଣାଣି କରି ରାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅଦାଲତଙ୍କ କହିବା କଥା ଏହା ଉପରେ ବିଚାର କରାଯିବ ଯେ, ବୈବାହିକ ଦୁଷ୍କର୍ମ ଅଭିଯୋଗରେ ସ୍ୱାମୀଙ୍କୁ ଆଇନ ପ୍ରକ୍ରିୟାରୁ କୋହଳ ଦେବା ଉଚିତ୍ କି ନାହିଁ ।
ଏହି ସମ୍ବେଦନଶୀଳ ମାମଲାରେ ଆଇନର ପ୍ରତିଟି ଦିଗକୁ ଦୃଷ୍ଟିରେ ରଖି ଏବଂ ଆଇନଗତ ପ୍ରକ୍ରିୟାକୁ ଅନୁଧ୍ୟାନ କରି ଆଗକୁ ବଢିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସରକାର ଏହି ପ୍ରସଙ୍ଗରେ ନିଜର କୌଣସି ଆଭିମୁଖ୍ୟ ନ ଜଣାଇଲେ ବି କୋର୍ଟ ଏବେ ଏହା ଉପରେ ନିଷ୍ପତ୍ତି ନେବେ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଏହା ଆଇନଗତ ମାମଲା । ଯଦି କେନ୍ଦ୍ର ସରକାର କୌଣସି ସତ୍ୟପାଠ ଦାଖଲ କରିବେନି ତଥାପି ଅଦାଲତ ଏହା ଉପରେ ଆଇନଗତ ବିଚାର କରିବାକୁ ପଡିବ ।
ଅଦାଲତଙ୍କ ଏହି ଟିପ୍ପଣୀ ବରିଷ୍ଠ ଆଡଭୋକେଟ୍ ଇନ୍ଦିରା ଜୟସିଂଙ୍କ ପକ୍ଷରୁ ଦାବି ଉଠିବା ପରେ ଆସିଛି । କୋର୍ଟ କହିଛନ୍ତି ଏହା ଉପରେ ଶୀଘ୍ର ଶୁଣାଣି ହେବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ପୀଠ କହିଛନ୍ତି । ବୁଧବାର ଏହି ମାମଲା ଉପରେ ଶୁଣାଣି ହେବାର ଥିଲା, ମାତ୍ର ଅନ୍ୟ ବିଚାରଧୀନ ମାମଲା ସଂଖ୍ୟା ଅଧିକ ରହିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି ।
ସୁପ୍ରିମକୋର୍ଟ ସଂପ୍ରତି ସେହି ଆବେଦନର ଶୁଣାଣି କରୁଛନ୍ତି, ଯେଉଁଥିରେ ଆଇପିସିର ସେକ୍ସନ ୩୭୫ର ଏକ ପ୍ରାବଧାନକୁ ଚ୍ୟାଲେଞ୍ଜ କରାଯାଇଛି । ଏହି ଯାଚିକାରେ ମଧ୍ୟ ପ୍ରଶ୍ନ କରାଯାଇଛି ଯେ, ସେକ୍ସନ ୩୭୫ ଆଧାରରେ ବୈବାହିକ ଦୁଷ୍କର୍ମର ଅଭିଯୁକ୍ତ ସ୍ୱାମୀକୁ କୋହଳ ଦିଆଯିବା ଭୁଲ୍ । ଯାଚିକାରେ କୁହାଯାଇଛି ଯେ, ଦୁଷ୍କର୍ମରେ କୌଣସି ପାତର ଅନ୍ତର କରାଯାଯାଇ ପାରିବ ନାହିଁ । ଦୁଷ୍କର୍ମ ହିଁ ଦୁଷ୍କର୍ମ ଅଟେ, ଏହାର କୌଣସି ବର୍ଗ ନ ଥାଏ । ମହିଳାମାନଙ୍କୁ ମଧ୍ୟ ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବାକୁ ପଡୁଛି । ଏହି ମାମଲାରେ ୨୦୨୨ ମେରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ନିଜ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ ।