ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିବା ଚନ୍ଦ୍ରଯାନ-୩ ସଫଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ବୁଧବାର ଚନ୍ଦ୍ରଯାନ-୪କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ସହିତ ଗଗନଯାନ ମିଶନ ଏବଂ ଭେନସ୍ (ଶୁକ୍ର) ଅର୍ବିଟର ମିଶନକୁ ମଧ୍ୟ ମଞ୍ଜୁରୀ ମିଳିଛି । ସେହିପରି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଏ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଚନ୍ଦ୍ରଯାନ-୪ର ମିଶନ ପାଇଁ କେନ୍ଦ୍ର ସରକାର ୨,୧୦୪ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଚନ୍ଦ୍ରଯାନ-୪ର ମିଶନ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ, ପ୍ରଦର୍ଶନ ଉପରେ ନୂତନ ମିଶନ ଧ୍ୟାନ ଦେବ । ସେହିପରି ସୁରକ୍ଷିତ ପୃଥିବୀକୁ ପ୍ରତ୍ୟାବର୍ତ୍ତନ, ଚନ୍ଦ୍ରରୁ ନମୁନା ସଂଗ୍ରହ ଏବଂ ବିଶ୍ଳେଷଣ କରାଯାଇପାରିବ । ଆଗାମୀ ୩ ବର୍ଷ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ଅଧିକ ଅନୁସନ୍ଧାନ କରି ସେଠାରୁ ପଥର ଏବଂ ମାଟି ପୃଥିବୀକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଭବିଷ୍ୟତର ସେହିପରି ୨୦୩୫ ସୁଦ୍ଧା ଏକ ଭାରତୀୟ ସ୍ପେସ୍ ଷ୍ଟେସନ୍ (ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ) ପ୍ରତିଷ୍ଠା ହେବ ତାହାର ମଧ୍ୟ ଲକ୍ଷ୍ୟ ରଖାଯାଇଛି ।
ଭେନସ୍ ଅର୍ବିଟର ମିଶନ ପାଇଁ ଏହି ଅଭିଯାନରେ ମୋଟ ୧୨୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଶୁକ୍ରଯାନ ୨୦୨୮ ମାର୍ଚ୍ଚ ମାସରେ ମହାକାଶକୁ ଯାତ୍ରା ଆରମ୍ଭ କରିବ । ମଞ୍ଜୁର ଅର୍ଥ ମଧ୍ୟରୁ ୮୨୪ କୋଟି ଶୁକ୍ର ପ୍ରଦକ୍ଷିଣ ପାଇଁ ଯାନ ତିଆରିରେ ଖର୍ଚ୍ଚ ହେବ। ଭାରତର ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଏହି ଯାନ ତିଆରି ଓ ଉତକ୍ଷପେଣର ଦାୟିତ୍ୱ ନେବ।
ସେହିପରି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଏମ୍ ଆଶା ଯୋଜନା ପାଇଁ ୩୫,୦୦୦ କୋଟି ଏବଂ ଏନପିକେ ସାର ପାଇଁ ୨୪, ୪୭୫ କୋଟି ସବ୍ସିଡିକୁ ଅନୁମୋଦନ କରାଯାଇଛି ।