ନୂଆଦିଲ୍ଲୀ: ଭାରତ ସିନ୍ଧୁ ନଦୀ ଜଳ ରାଜିନାମାରେ ପରିବର୍ତ୍ତନ ଦାବି କରିଛି । ଏହି ସମ୍ବନ୍ଧରେ ଏକ ଆନୁଷ୍ଠାନିକ ନୋଟିସ୍ ଭାରତ ପକ୍ଷରୁ ଅଗଷ୍ଟ ୩୦ ତାରିଖରେ ପାକିସ୍ତାନକୁ ପଠାଯାଇଛି । ଦୁଇ ଦେଶ ମଧ୍ୟରେ ୧୯୬୦ରେ ସିନ୍ଧୁ ନଦୀ ଏବଂ ଅନ୍ୟ ୫ ନଦୀର ଜଳ ବ୍ୟବହାରକୁ ନେଇ ରାଜିନାମା ହୋଇଥିଲା । ସିନ୍ଧୁ ଜଳ ରାଜିନାମାର ଧାରା .. ଅନୁସାରେ ଏହାର ପ୍ରାବଧାନରେ ସମୟ ସମୟରେ ପରିବର୍ତ୍ତନ କରାଯାଇ ପାରିବ । ଯାହା ଫଳରେ ଦୁଇ ଦେଶର ହିତ ସାଧନ ହୋଇ ପାରିବ । ଭାରତ ୧୯୬୦ର ରାଜିନାମାରେ ପରିବର୍ତ୍ତନର ଦାବିକୁ ନେଇ କିଛି ତର୍କ ମଧ୍ୟ ଦେଇଛି ।
ଭାରତ ପକ୍ଷରୁ କୁହାଯାଇଛି ଯେ, ୧୯୬୦ରୁ ଏ ପର୍ଯ୍ୟନ୍ତ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏମିତି ସ୍ଥିତିରେ ସିନ୍ଧୁ ଜଳ ରାଜିନାମାର ସର୍ତ୍ତରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି । ଏଥିପାଇଁ ଭାରତ ତିନୋଟି କାରଣ ଦର୍ଶାଇଛି । ଭାରତ ସରକାର କହିଛନ୍ତି ୧୯୬୦ରେ ସ୍ଥିର ହୋଇଥିବା ସର୍ତ୍ତର ସାଂପ୍ରତିକ ସ୍ଥିତିରେ କୌଣସି ଆଧାର ନାହିଁ । ତେବେଠୁ ନେଇ ଆଜି ପର୍ଯ୍ୟନ୍ତ ସବୁ ଦିଗରେ ବହୁତ ପରିବର୍ତ୍ତନ ହୋଇଛି । ପ୍ରଥମ କାରଣ ଜନସଂଖ୍ୟାରେ ପରିବର୍ତ୍ତନ ହୋଇଛି । ଏହି କାରଣରୁ ଜଳର କୃଷି ଏବଂ ଅନ୍ୟ କାମରେ ବ୍ୟବହାରକୁ ନେଇ ପରିବର୍ତ୍ତନ ଆସିଛି ।
ଏହା ବ୍ୟତୀତ ଭାରତ ହାନୀକାରକ ଉତ୍ସର୍ଜନକୁ ସମାପ୍ତ କରିବା ପାଇଁ କ୍ଲିନ ଏନର୍ଜି ଦିଗରେ ଆଗକୁ ବଢିବାକୁ ଚାହୁଁଛି । ଏହି କାରଣରୁ ସିନ୍ଧୁ ଜଳ ରାଜିନାମା ଅନୁସାରେ ନଦୀରେ ଜଳର ଅଧିକାରକୁ ନେଇ ପୁଣି ଥରେ ନୀତି ନିର୍ଦ୍ଧାରଣ କରାଯାଉ । ତୃତୀୟ କାରଣ ସୀମାପାର ଆତଙ୍କବାଦ କାରଣରୁ ରାଜିନାମା ଠିକରେ ଲାଗୁ ହୋଇ ପାରୁନି । ଫଳରେ ଭାରତ ନିଜ ଅଧିକାରର ଜଳକୁ ସଠିକ ଭାବେ ବିନିଯୋଗ କରି ପାରୁନି । ଭାରତ କିଶନଗଙ୍ଗା ଓ ରେଟଲ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରକଳ୍ପୁ ନେଇ ପାକିସ୍ତାନର ଆଭିମୁଖ୍ୟ ଉପରେ ଚିନ୍ତା ପ୍ରକାଶ କରିଛି । ଭାରତର କହିବା କଥା ପାକିସ୍ତାନ ଏହି ପ୍ରକଳ୍ପକୁ ବାଧା ଦେଉଛି । ଭାରତ ସର୍ବଦା ଜଳ ରାଜିନାମାକୁ ନେଇ ଉଦାର ରହି ଆସିଛି ।