ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ‘ୱାନ୍ ନେସନ୍-ୱାନ୍ ଇଲେକ୍ସନ୍’ ବା ‘ଏକ ଦେଶ-ଏକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ ଭିତ୍ତି କରି କେନ୍ଦ୍ର ସରକାର ପ୍ରସ୍ତାବକୁ ମଂଜୁରି ଦେଇଛନ୍ତି ।
ଦେଶରେ ‘ୱାନ୍ ନେସନ୍-ୱାନ୍ ଇଲେକ୍ସନ୍’ ଲାଗୁ କରିବାକୁ ନେଇ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିକୁ ଦାୟିତ୍ୱ ଦିଆଯାଇଥିଲା । କୋବିନ୍ଦଙ୍କ କିମିଟି ବିଭିନ୍ନ ସମ୍ଭାବନା ପରେ ତର୍ଜମା କରି ମାର୍ଚ୍ଚ ମାସରେ ରିପୋର୍ଟ ଦାଖଲ କରିଥିଲେ । ଏହି କମିଟିର ରିପୋର୍ଟ ଆଧାରରେ ମୋଦୀ ସରକାର ପ୍ରଥମ ପଦକ୍ଷେପ ସ୍ୱରୁପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କମିଟି ଆହୁରି ମଧ୍ୟ ପ୍ରସ୍ତାବ ରଖିଛି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବାର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ସରପଞ୍ଚ ନିର୍ବାଚନ କରାଯିବା ଉଚିତ । ଆଗାମୀ ଶୀତ ଅଧିବେଶନରେ ମୋଦୀ ସରକାର ସଂସଦରେ ଏ ସମ୍ପର୍କିତ ବିଲ ଆଗତ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯଦି ଏହା ପାରିତ ହୋଇଯାଏ ତେବେ ଗୋଟାଏ ସମୟରେ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଅନେକ ଥର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିକଟରେ ଲାଲାକିଲାରେ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବାବେଳେ ଖୁବ ଶୀଘ୍ର ଦେଶରେ ‘ୱାନ୍ ନେସନ୍-ୱାନ୍ ଇଲେକ୍ସନ୍’ ଲାଗୁ ହେବା ବୋଲି କହିଥିଲେ । ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୋଟାଏ ଦେଶ ଗୋଟାଏ ନିର୍ବାଚନ ସଂକଳ୍ପକୁ ସମର୍ଥନ କରିବାକୁ ଏକା ସାଥିରେ ସମସ୍ତେ ଆଗକୁ ଆସନ୍ତୁ ବୋଲି ମୋଦୀ ଅନୁରୋଧ କରିଥିଲେ ।