କୋଲକାତା: କୋଲକାତା ପୁଲିସ କମିସନର ବିନୀତ ଗୋଏଲ ଓ ଡିସି ନର୍ଥଙ୍କ ସମେତ ଦୁଇ ଜଣ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ସେମାନଙ୍କ ପଦରୁ ହଟାଇଥିଲେ ମଧ୍ୟ ରାଜ୍ୟରେ କନିଷ୍ଠ ଡାକ୍ତରଙ୍କ ଧର୍ମଘଟ ବୁଧବାର ୪୦ତମ ଦିନରେ ପହଞ୍ଚିଛି। ସେପଟେ ହସ୍ପିଟାଲର ସୁରକ୍ଷା, ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇବା ସମେତ କେତେକ ସମାଧାନ ହୋଇନଥିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କନିଷ୍ଠ ଡାକ୍ତରମାନେ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କୁ ଇମେଲ ପଠାଇ ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ଥରେ ବୈଠକ କରିବାକୁ ଦାବି କରିଛନ୍ତି। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନକ୍ରମେ ସନ୍ଧ୍ୟାରେ ରାଜ୍ୟ ସଚିବାଳୟ ନବନ୍ନାରେ କନିଷ୍ଠ ଡାକ୍ତର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାର ଅଧିକାଂଶ ଦାବିରେ ମୌଖିକ ସହମତି ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଗତ ବୈଠକ ଭଳି ଲିଖିତ ପ୍ରତିଶ୍ରୁତି (ବିବରଣୀ) ଦେଇନଥିଲେ। ଏହାକୁ ନେଇ କନିଷ୍ଠ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବୈଠକ ପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ରାଜ୍ୟ ସଚିବାଳୟରୁ ବାହାରକୁ ଆସିଥିବା କନିଷ୍ଠ ଡାକ୍ତରମାନେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଆମେ ନିରାଶ ହୋଇଛୁ। ମୁଖ୍ୟ ଶାସନ ସଚିବ ମୌଖିକ ଭାବେ ଆମର ବିଚାରବିହୀନ ଦାବିରେ ରାଜି ହୋଇଥିଲେ ମଧ୍ୟ ବୈଠକର ବିବରଣୀରେ ସେଗୁଡ଼ିକୁ ଅନ୍ତର୍ଭୁକ୍ତ କରିନଥିଲେ।
ଅଧିକ ପଢ଼ନ୍ତୁ: ଆଜି କଟରା-ଶ୍ରୀନଗରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନୀ ପ୍ରଚାର