ବେରୁତ: ଲେବାନନରେ ଏହି ସମୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପେଜର ପରେ ଏବେ ୱାକି-ଟକିଜ୍, ଲାପଟପ୍, ଫୋନ୍, ସୋଲାର ପ୍ୟାନେଲ୍ ସିଷ୍ଟମ୍, ଫିଙ୍ଗର ପ୍ରିଣ୍ଟ ରିଡିଂ ମେସିନ୍ ଓ ରେଡିଓରେ ସିରିଏଲ୍ ବିସ୍ଫୋରଣ ହେଉଛି। ଏହି ଦ୍ୱିତୀୟ ସିରିଜ୍ ବିସ୍ଫୋରଣରେ ଲେବାନନର ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାଂଶ ବିସ୍ଫୋରଣ ହିଜବୁଲ୍ଲାର କମାଣ୍ଡର ହାତରେ ଏହି ଉପକରଣ ଧରିଥିବା ବେଳେ ହୋଇଥିଲା। ଏଗୁଡ଼ିକୁ ୫ ମାସ ତଳେ ହେଜ୍ବୁଲ୍ଲା ପେଜର୍ ଭାବେ କିଣିଥିଲା। ପେଜର ପରେ ୱାକି ଟକି ବିସ୍ଫୋରଣ ସମେତ ଏପର୍ଯ୍ୟନ୍ତ ୩୨ ଜଣଙ୍କର ମୃତ୍ୟୁ ଘଟିଛି।
ଗୋଟିଏ ଦିନ ପୂର୍ବରୁ (ସେପ୍ଟେମ୍ବର ୧୭) ଲେବାନନ୍ ଓ ସିରିଆର ଅନେକ ସହରରେ ଏକାସାଙ୍ଗରେ ପେଜର୍ ବିସ୍ଫୋରଣ ହୋଇଥିଲା। ଏହାପରେ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଶତାଧିକ ପେଜର ଫାଟି ଯାଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ପେଜର ଆକ୍ରମଣ ପାଇଁ ହିଜବୁଲ୍ଲା ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦକୁ ଦାୟୀ କରିଛି।
ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଇରନା ଅନୁଯାୟୀ, ଲେବାନନର ୯୫ ଜଣଙ୍କୁ ଚିକିତ୍ସା ପାଇଁ ଇରାନ ପଠାଯାଇଛି। ରେଡ୍ କ୍ରିସେଣ୍ଟ ସୋସାଇଟିର ମୁଖ୍ୟ ପିରହୋସିନ କୁଲିଭନ୍ଦ କହିଛନ୍ତି ଯେ ଚଳିତ ସପ୍ତାହରେ ଲେବାନନ୍ ଡିଭାଇସ୍ ବିସ୍ଫୋରଣରେ ଆହତ ହୋଇଥିବା ୯୫ ଜଣ ଅଧିକ ଚିକିତ୍ସା ପାଇଁ ଇରାନ ଥିଲେ। ଇରାନର ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଲୋକମାନଙ୍କୁ ଷ୍ଟ୍ରେଚରରେ ବିମାନରେ ନିଆଯାଉଛି ଏବଂ ସେମାନଙ୍କ ମୁଣ୍ଡ ଏବଂ ଆଖି ବନ୍ଧା ଯାଇଛି।
ଅଧିକ ପଢ଼ନ୍ତୁ: କମଲା ହାରିସଙ୍କୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ