ବୁନ୍ଦି: ରାଜସ୍ଥାନର ବୁନ୍ଦି ଜିଲ୍ଲାର ଏକ ସରକାରୀ ସ୍କୁଲର ଜଣେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଶିକ୍ଷକଙ୍କୁ ଗ୍ରାମବାସୀ ମାଡ଼ ମାରିଛନ୍ତି। ସ୍କୁଲ ପରିସରରେ ଥିବା ଏକ କୋଠରୀରେ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ବନ୍ଧକ ରଖି ମାଡ଼ ମାରିଥିଲେ। ଅଭିଯୁକ୍ତ ଜଣକ ହେଉଛନ୍ତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଓଜୀ ଲାଲ ମୀନା।
ପୁଲିସ ସୂଚନା ଅନୁଯାୟୀ, ସୋମବାର ସ୍କୁଲରେ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଜଣକ ମୀନାଙ୍କ ବିରୋଧରେ ଅସଦାଚରଣ କରିବା ସହ ବାରମ୍ବାର ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅଭିଯୋଗ ପରେ ସ୍ଥାନୀୟ ଲୋକେ କ୍ୟାମ୍ପସରେ ଏକାଠି ହୋଇ ଶିଓଜି ମୀନାଙ୍କୁ ସ୍କୁଲର ଏକ କୋଠରୀରେ ବନ୍ଧକ ରଖିଥିଲେ। ପୁଲିସ ହସ୍ତକ୍ଷେପ କରି ତାଙ୍କୁ ଗିରଫ କରିବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ମାଡ଼ ମାରିଥିଲେ ବୋଲି ନୈନୱାନ ଥାନା ଅଧିକାରୀ ମହେନ୍ଦ୍ର ଯାଦବ କହିଛନ୍ତି।
ଅଭିଯୋଗକୁ ଭିତ୍ତି କରି ଭାରତୀୟ ନ୍ୟାୟ ସଂହିତା ଏବଂ ଯୌନ ଅପରାଧରୁ ଶିଶୁସୁରକ୍ଷା ଆଇନର ଧାରା ଅନୁଯାୟୀ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ବୁନ୍ଦି ଜିଲ୍ଲା ଶିକ୍ଷା ଅଧିକାରୀ ରାଜେନ୍ଦ୍ର ବ୍ୟାସ କହିଛନ୍ତି, ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ଉଦୟନିଧି ଷ୍ଟାଲିନ ହେବେ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ