ଶ୍ରୀନଗର: କାଶ୍ମୀରର ଦ୍ରୁତ ବିକାଶ ଯୋଗୁଁ ଲୋକଙ୍କ ଜୀବନରେ ସମୃଦ୍ଧିର ବାର୍ତ୍ତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଶ୍ରୀନଗରରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ। ଏହାପରେ ସେ କଟରାରେ ମଧ୍ୟ ଜନସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଶ୍ରୀନଗର ରାଲି ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବିରୋଧୀ ଦଳର ଗଡ଼ରେ ବିଜେପିର ଭିତ୍ତିଭୂମି ମଜବୁତ କରିବା ସହ ସେଠାରେ ପଦ୍ମ ଫୁଟାଇବା ପାଇଁ ଦଳ ପ୍ରସ୍ତୁତି ଚଳାଇଛି।
ଜମ୍ମୁ ଡିଭିଜନରେ ଶକ୍ତିଶାଳୀ ବିଜେପି ଏବେ କାଶ୍ମୀରର ଗୁରେଜ, କର୍ଣ୍ଣାହ, ସୋପିଆନ, ହବକାଦଲ ଏବଂ ପହଲଗାମ ବିଧାନସଭା ଆସନ ଜିତିବା ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରୁଛି। କାଶ୍ମୀରରେ ବିଜେପିର ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣଙ୍କ ଭାଗ୍ୟ ବୁଧବାର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ସ୍ଥିର ହୋଇଛି। ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଦଳର ୧୧ ଜଣ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶ୍ରୀନଗରରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ଜନସାଧାରଣଙ୍କ ସହଯୋଗ ଲୋଡ଼ିବେ ପ୍ରଧାନମନ୍ତ୍ରୀ।
ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ବିକାଶ ଓ ପର୍ଯ୍ୟଟନ ବୃଦ୍ଧି ହେଉଛି କଶ୍ମୀରରେ ବିଜେପିର ମୁଖ୍ୟ ପ୍ରସଙ୍ଗ। ଏହି ଅଂଚଳରେ ପଥର ମାଡ଼ ବନ୍ଦ, ଧର୍ମଘଟ ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ମଧ୍ୟ ବିଜେପିର ଅନ୍ୟ ଏକ ଲକ୍ଷ୍ୟ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀନଗର ରାଲିରୁ ସେହି ରାଜନୈତିକ ଦଳମାନଙ୍କୁ ମଧ୍ୟ ଆକ୍ରମଣ କରିବେ ଯେଉଁମାନେ ଏହି ସମୟରେ ୩୭୦ ପୁନରୁଦ୍ଧାର ଦାବି କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ କଶ୍ମୀରର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ପୂର୍ବାହ୍ନ ୧୧ଟାରେ ଶେର-ଏ-କାଶ୍ମୀର ସ୍ପୋର୍ଟସ ଷ୍ଟାଡିୟମରେ ଏହି ରାଲି ଅନୁଷ୍ଠିତ ହେବ। ଏହି ରାଲିରେ କାଶ୍ମୀରର ସମସ୍ତ ଜିଲ୍ଲାରୁ ୫୦ ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାଲିକୁ ସଫଳ କରିବା ପାଇଁ ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡକ୍ଟର ନିର୍ମଳ ସିଂହ ଶ୍ରୀନଗରରେ ଡେରା ପକାଇଛନ୍ତି। ଗୁରୁବାର ଅପରାହ୍ନ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ଶ୍ରୀମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ କଟରାଠାରେ ଆଉ ଏକ ରାଲି କରିବେ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରଯାନ-୪କୁ କେନ୍ଦ୍ର କ୍ୟାବିନେଟର ମୋହର