ଅଗରତଲା: ତ୍ରିପୁରାରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଖାପାଖି ୭୦ ପ୍ରତିଶତ ସିଟ୍ରେ ନିର୍ବିରୋଧ ବିଜୟ ହାସଲ କରିଛି। ଜଣେ ଅଧିକାରୀ କହିଛନ୍ତି, ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ ମୋଟ ୬୮୮୯ ସିଟ୍ ଅଛି। ଏଥିରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସାମିଲ ରହିଛି। ବିଜେପି ନିର୍ବିରୋଧରେ ୪୮୦୫ ସିଟ୍ ଜିତିଛି। ଗ୍ରାମପଞ୍ଚାୟତରେ ବିଜେପି ମୋଟ୍ ୬୩୭୦ରୁ ୪୫୫୦ ସିଟ୍ ନିର୍ବିରୋଧରେ ବିଜୟ ହାସଲ କରିଛି। ଅର୍ଥାତ ୭୦ ପ୍ରତିଶତ ସିଟ୍ରେ ଭୋଟ୍ ଗ୍ରହଣ କରାଯିବ ନାହିଁ।
ରାଜ୍ୟ ନିର୍ବାଚନ ଆୟୋଗ (ଏସ୍ଇସି)ଙ୍କ ସଚିବ ଅସିତ କୁମାର ଦାସ କହିଛନ୍ତି, ଯେଉଁ ୧୮୧୯ ପଞ୍ଚାୟତ ସିଟ୍ରେ ମତଦାନ ହେବ, ଏଥିରେ ବିଜେପି ୧୮୦୯ ସିଟ୍, ସିପିଆଇ (ଏମ୍) ୧୨୨୨ ସିଟ୍ ଓ କଂଗ୍ରେସ ୭୩୧ଟି ସିଟ୍ରେ ପ୍ରାର୍ଥୀ ଦେଇଛି। ସେ କହିଛନ୍ତି ଯେ, ବିଜେପିର ସହଯୋଗୀ ଟିପରା ମୋଥା ୧୩୮ଟି ସିଟ୍ରେ ପ୍ରାର୍ଥୀ ଦେଇଛି। ପଶ୍ଚିମ ତ୍ରିପୁରା ଜିଲ୍ଲାର ମହେଶଖଳା ପଞ୍ଚାୟତର ଗୋଟିଏ ସିଟ୍ରେ ମତଦାନ ହେବ ନାହିଁ। ଏଠାରେ ବିଜେପିର ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି।
ଶ୍ରୀ ଦାସ କହିଛନ୍ତି ଯେ, ପଞ୍ଚାୟତ ସମିତିରେ ବିଜେପି ମୋଟ ୪୨୩ରୁ ୨୩୪ ଅର୍ଥାତ ୫୫ ପ୍ରତିଶତ ସିଟ୍ରେ ନିର୍ବିରୋଧ ବିଜୟ ହାସଲ କରିଛି। ଏବେ ୧୮୮ସିଟ୍ରେ ମତଦାନ ହେବ। ସେ କହିଛନ୍ତି ବିଜେପି ସମସ୍ତ ୧୮୮ ସିଟ୍ରେ ପ୍ରାର୍ଥୀ ଦେଇଛି। ସେହିପରି ସିପିଆଇ (ଏମ୍) ଓ କଂଗ୍ରେସ ଯଥାକ୍ରମେ ୧୪୮ ଓ ୯୮ ସିଟ୍ରେ ପ୍ରାର୍ଥୀ ଦେଇଛନ୍ତି। ଟିପରା ମୋଥା ୧୧ଟି ସିଟ୍ରେ ପ୍ରାର୍ଥୀ ଦେଇଛି।
ସୂଚନାଯୋଗ୍ୟ ତ୍ରିପୁରାରେ ପଞ୍ଚାୟତ ନିର୍ବାଚନ ଅଗଷ୍ଟ ୮ ତାରିଖରେ ଅନୁଷ୍ଠିତ ହେବ। ଅଗଷ୍ଟ ୧୨ରେ ମତଗଣନା ହେବ। ଗତ ନିର୍ବାଚନରେ ବିଜେପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୯୬ପ୍ରତିଶତ ସିଟ୍ରେ ନିର୍ବିରୋଧରେ ଜିତିଥିଲା।