ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଗଣନା ଜାରି ରହିଛି। ଆରମ୍ଭରୁ କଂଗ୍ରେସ ଆଗୁଆ ଥିବା ବେଳେ ପୂର୍ବାହ୍ଣ ୧୦ଟାରେ ବିଜେପି ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିଛି। ବିଜେପି ୫୪ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୨୫ଟି ଆସନରେ ଆଗୁଆ ରହିଛି।
ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ପୁଣି ଥରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ସେ ଆଜି ସକାଳୁ କୁରୁକ୍ଷେତ୍ରର ଦକ୍ଷିଣମୁଖୀ ପ୍ରାଚୀନ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ବିଜେପି ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବାକୁ ନିଶ୍ଚିତ ଥିବା ବେଳେ କଂଗ୍ରେସ ଆଉ ୧୦ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି।
ଶ୍ରୀ ସୈନୀ ଦାବି କରିଛନ୍ତି ଯେ କଂଗ୍ରେସ କ୍ଷମତା ପାଇଁ ଏବଂ ବିଜେପି ସେବା ପାଇଁ କାମ କରୁଛି। ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ନେତାଙ୍କ ରାତି ଭାରି ହୋଇଥିବ, କିନ୍ତୁ ବିଜେପି ନେତାମାନେ ବିଜୟକୁ ନେଇ ନିଶ୍ଚିତ ଥିବାରୁ ସମସ୍ତେ ଶାନ୍ତିରେ ଶୋଇଛନ୍ତି।
ଆମକୁ ମାତା ମନସା ଦେବୀଙ୍କ ଆଶୀର୍ବାଦ ରହିଛି ଏବଂ ମୁଁ ନିଶ୍ଚିତ ଯେ ଫଳାଫଳ ବହୁତ ଭଲ ହେବ ଏବଂ ମୁଁ ପଞ୍ଚକୁଲା ଆସନଜିତିବି ବୋଲି ଜ୍ଞାନ ଚାନ୍ଦ ଗୁପ୍ତା କହିଛନ୍ତି। ପ୍ରତ୍ୟେକ ଦଳ ଜିତିବା ପାଇଁ ଦାବି କରୁଛନ୍ତି କିନ୍ତୁ ଆମକୁ ମିଳୁଥିବା ସୂଚନା ଅନୁଯାୟୀ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି।
ସୂଚନାଯୋଗ୍ୟ, ଅକ୍ଟୋବର ୫ତାରିଖରେ ୯୦ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ଶନିବାର ଭୋଟ୍ ଗ୍ରହଣ ପରେ ଆସିଥିବା ଏକ୍ଜିଟ୍ ପୋଲ୍ରେ ବିଜେପିକୁ ନିରାଶାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଏହି ଏକ୍ଜିଟ୍ ପୋଲ୍ କଂଗ୍ରେସ ପାଇଁ ବେଶ୍ ସକାରାତ୍ମକ ଥିଲା। ୧୦ ବର୍ଷ ପରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରୁଥିବା ଚର୍ଚ୍ଚା ହେଉଥିଲା। ତେବେ ରାଜ୍ୟରେ କେଉଁ ରାଜନୈତିକ ଦଳ ସରକାର ଗଠନ କରିବାକୁ ଯାଉଛି ତାହା ଆଜି ସ୍ପଷ୍ଟ ହୋଇଯିବ। ହରିୟାଣାର ସମସ୍ତ ୯୦ଟି ଆସନରେ ସଂଖ୍ୟାଗରିଷ୍ଠତା ପାଇଁ ୪୬ଟି ଆସନର ଆବଶ୍ୟକତା ରହିଛି।
ଅଧିକ ପଢ଼ନ୍ତୁ: କର୍ମୀ-ସମର୍ଥକଙ୍କ ସହ ଆଲୋଚନା କଲେ ନାୟବ ସିଂହ ସୈନୀ