ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଗଣତିର କିଛି ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ। ଉଭୟ ଜମ୍ମୁ-କଶ୍ମୀର ଓ ହରିୟାଣାରେ ଆଜି ପୂର୍ବାହ୍ଣ ୮ଟାରୁ ମତଗଣନା ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଗଣତି ସରିବା ସହିତ ଫଳାଫଳ ଆସିଯିବ ବୋଲି ଆଶା କରାଯାଉଛି।
ଜମ୍ମୁ କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ଶୀର୍ଷ ନେତାମାନେ କେନ୍ଦ୍ରଶାସିତ ଅଞ୍ଚଳରେ ପରବର୍ତ୍ତୀ ସରକାର ଗଠନ କରିବାକୁ ନିଶ୍ଚିତ ଅଛନ୍ତି। କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ନିର୍ବାଚନ ପୂର୍ବରୁ ମେଣ୍ଟ କରିଥିଲେ। ୯୦ ସଦସ୍ୟ ବିଶିଷ୍ଟ ଗୃହରେ ସେମାନେ ନିଜେ ୪୬ର ମ୍ୟାଜିକ୍ ଫିଗର ଅତିକ୍ରମ କରିବେ ବୋଲି ମେଣ୍ଟ ଦାବି କରିଛି। ବିଜେପି ସ୍ୱାଧୀନଙ୍କ ଉପରେ ନିର୍ଭରଶୀଳ ଏବଂ ପିଡିପି କହିଛି ଯେ ଜମ୍ମୁ-କଶ୍ମୀରରେ ତାଙ୍କ ସମର୍ଥନ ବିନା କୌଣସି ଧର୍ମନିରପେକ୍ଷ ସରକାର ସମ୍ଭବ ନୁହେଁ। ଜାମ୍ମୁ କାଶ୍ମୀରରେ ଭୋଟ୍ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।
ହରିୟାଣାରେ ଏଥର କାହା ସରକାର ଗଠନ ହେବ, ତାହା ଆଜି କିଛି ଘଣ୍ଟା ମଧ୍ୟରେ ସ୍ଥିର ହେବାକୁ ଯାଉଛି। ଏକ୍ଜିଟ୍ ପୋଲ୍ ଫଳାଫଳରେ ଉତ୍ସାହିତ ହୋଇ କଂଗ୍ରେସ ୧୦ ବର୍ଷ ପରେ ରାଜ୍ୟରେ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ସେପଟେ ଭୋଟ ଗଣତି ପୂର୍ବରୁ ମୁଖ୍ୟମନ୍ତ୍ରୀ ନୟାବ ସାଇନି ପୁଣି ଥରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଗତ ୫ ତାରିଖରେ ନୂଆ ସରକାର ପାଇଁ ମତଦାନ ହୋଇଥିଲା। ଲୋକସଭା ନିର୍ବାଚନ ପରେ ହରିୟାଣା ବିଧାନସଭା ନିର୍ବାଚନ ହେଉଛି ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରଥମ ବଡ଼ ସିଧାସଳଖ ମୁକାବିଲା।
ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ପୋଷ୍ଟାଲ ବାଲଟରୁ ଆରମ୍ଭ ହେବ । ଏହାର ଅଧଘଣ୍ଟା ପରେ ଇଭିଏମ୍ର ଭୋଟ ଗଣତି ଆରମ୍ଭ ହେବ। ଭୋଟ ଗଣତିର ସଦ୍ୟତମ ଅପଡେଟ୍ ନିର୍ବାଚନ କମିଶନଙ୍କ ୱେବସାଇଟରେ ଦେଖିବାକୁ ମିଳିଛି।
ହରିୟାଣା ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନୟାବ ସିଂହ ସୈନୀ କୁରୁକ୍ଷେତ୍ରର ଦକ୍ଷିଣମୁଖୀ ପ୍ରାଚୀନ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ବିଜେପି ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବାକୁ ନିଶ୍ଚିତ ଥିବା ବେଳେ କଂଗ୍ରେସ ଆଉ ୧୦ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି।
ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି ଦାବି କରିଛନ୍ତି ଯେ କଂଗ୍ରେସ କ୍ଷମତା ପାଇଁ ଏବଂ ବିଜେପି ସେବା ପାଇଁ କାମ କରୁଛି। ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ନେତାଙ୍କ ରାତି ଭାରି ହୋଇଥିବ, କିନ୍ତୁ ବିଜେପି ନେତାମାନେ ବିଜୟ କୁ ନେଇ ନିଶ୍ଚିତ ଥିବାରୁ ସମସ୍ତେ ଶାନ୍ତିରେ ଶୋଇଛନ୍ତି।
ଅଧିକ ପଢ଼ନ୍ତୁ: ଆଜି ଆସିବ ଲୋକଙ୍କ ରାୟ; ସକାଳ ୮ଟାରୁ ମତଦାନ ଗଣତି