ନୂଆଦିଲ୍ଲୀ: ନସରୁଲ୍ଲା ପରେ ଇସ୍ରାଏଲ ନିଜର ଆଉ ଏକ ଶତ୍ରୁକୁ ନିପାତ କରିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଭିଡିଓ ସନ୍ଦେଶ ଜାରି କରି ହମାସର ମୁଖ୍ୟ ସିନୱାରର ନିହତ ଖବର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି, ସିନୱାରର ମୃତ୍ୟୁ ପରେ ବି ଲଢେଇ ଜାରି ରହିଛି । ଏହା ପୂର୍ବରୁ ଇସ୍ରାଏଲ ସେନା ସୂଚନା ଦେଇଥିଲା ଯେ, ଗାଜାରେ ଏକ କୋଠାରେ ତିନି ହମାସ ଆତଙ୍କୀ ଥିବା ଖବର ମିଳିବା ପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ଧ୍ୱଂସାବଶେଷରେ ଏକ ମୃତଦେହ ଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଥିଲା । ଏଥିରେ ମୃତ ବ୍ୟକ୍ତି ଚେହେରା, ଦାନ୍ତ, ଶରୀର ଓ ଘଣ୍ଟା ଦେଖିବା ପରେ ଦାବି କରାଯାଇଥିଲା ଯେ, ମୃତ ବ୍ୟକ୍ତି ଜଣକ ହମାସ ମୁଖ୍ୟ ସିନୱାର । ପରେ ଡିଏନଏ ରିପୋର୍ଟରେ ଏହା ପ୍ରମାଣିତ ହୋଇଛି ଯେ, ଏହି ଶବ ସିନୱାରର ।
ସିନୱାର ୧୯୮୦ ଦଶନ୍ଧିର ଶେଷ ଆଡରୁ ୨୦୧୧ ପର୍ଯ୍ୟନ୍ତ ଇସ୍ରାଏଲ ଅଧିନରେ ଥିଲା । ସେହି ସମୟରେ ତାର ମସ୍ତିଷ୍କ କ୍ୟାନସରର ଉପଚାର ହୋଇଥିଲା । ଫଳରେ ଇସ୍ରାଏଲ ଅଧିକାରୀଙ୍କ ନିକଟରେ ତାର ବ୍ୟାପକ ଚିକିତ୍ସା ରେକର୍ଡ ଉପଲବ୍ଧ ଥିଲା । ତେଣୁ ସିନୱାରକୁ ଚିହ୍ନଟ କରିବା ପାଇଁ ଇସ୍ରାଏଲକୁ ଅଧିକ ସମୟ ଲାଗି ନାହିଁ ।
ହାନିୟେହ ଓ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାକୁ ଚିର ନିଦ୍ରାରେ ଶୁଆଇବା ପରେ ଏବେ ଇସ୍ରାଏଲର ପ୍ରହାର ହମାସର ଅଣ୍ଟା ଭାଙ୍ଗି ଦେଇଛି । ସିନୱାରକୁ ଅକ୍ଟୋବର ୭ ଆକ୍ରମଣର ବଡ ମାଷ୍ଟର ମାଇଣ୍ଡ କୁହାଯାଉଥିଲା । ଇସ୍ରାଏଲ ସେନା ବାରମ୍ବାର ଦାବି କରି ଆସିଥିଲା ଯେ, ସିନୱାର ନିଜକୁ ଏକ ଛୋଟ ସୁଡଙ୍ଗରେ ପିଲା ଓ ବନ୍ଧକଙ୍କ ମଧ୍ୟରେ ରଖୁଥିଲା । ଏହି କାରଣରୁ ସେ ଏ ପର୍ଯ୍ୟନ୍ତ ଜୀବିତ ରହିଥିଲା ।
ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କାର୍ଟ୍ସ ମଧ୍ୟ ନିଜର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଘୋଷଣା କରିଛନ୍ତି ଯେ, ୨୦୨୩ ଅକ୍ଟୋବର ୭ ଇସ୍ରାଏଲରେ ଘଟିଥିବା ନରସଂହାର ପାଇଁ ଦାୟୀ ସିନୱାରକୁ ଆମ ସେନା ନିପାତ କରିଛନ୍ତି । ଇସ୍ରାଏଲ ସେନାର ମୁଖପାତ୍ର ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଏକ ବର୍ଷ ଧରି ଜାରି ରହିଥିବା ଆମର ମିଶନ ସମାପ୍ତ ହୋଇଛି । ଗତକାଲି ଇସ୍ରାଏଲ ସେନାର ଦକ୍ଷିଣ କମାଣ୍ଡ ଏକ ଅପରେସନରେ ହମାସର ମୁଖ୍ୟ ତଥା ଅକ୍ଟୋବର ୭ରେ ଘଟିଥିବା ନରସଂହାରର ମାଷ୍ଟରମାଇଣ୍ଡ ସିନୱାରକୁ ମୃତ୍ୟୁ ଶଯ୍ୟାରେ ଶୁଆଇଛନ୍ତି ।