ଇସଲାମାବାଦ: ଇସଲାମାବାଦର ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ରାତ୍ରୀ ଭୋଜନ ସ୍ଥଳରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଛନ୍ତି। ଏକ ଭିଡିଓରେ ସରିଫ ଜୟଶଙ୍କରଙ୍କୁ ସ୍ୱାଗତ କରିବା ସହ ତାଙ୍କ ସହ ହାତ ମିଳାଉଥିବାର ଦେଖିବାକୁ ମିଳିଛି। ଉଭୟ ନେତା ସଭାସ୍ଥଳରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।
ଏସସିଓ କାଉନସିଲର ୨୩ତମ ବୈଠକରେ ଯୋଗ ଦେବା ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଭାବେ ଏହା ହେଉଛି ପ୍ରଥମ ପାକିସ୍ତାନ ଗସ୍ତ।
ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ)ର ଏକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜୟଶଙ୍କର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପହଞ୍ଚିଛନ୍ତି। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେ ପାକିସ୍ତାନରାଜଧାନୀ ଉପକଣ୍ଠରେ ଥିବା ନୁର ଖାନ୍ ଏୟାରବେସରେ ଅବତରଣ କରିଥିଲେ ଏବଂ ପାକିସ୍ତାନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ପାଖାପାଖି ୯ ବର୍ଷ ମଧ୍ୟରେ କୌଣସି ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ପାକିସ୍ତାନ ଗସ୍ତ। କାଶ୍ମୀର ପ୍ରସଙ୍ଗ ଏବଂ ପାକିସ୍ତାନରୁ ସୃଷ୍ଟି ହେଉଥିବା ସୀମାପାର ଆତଙ୍କବାଦକୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ଶେଷ ଭାରତୀୟ ଭାବେ ପାକିସ୍ତାନ ଗସ୍ତରେ ଯାଇଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ସେ ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଇସଲାମାବାଦ ଯାଇଥିଲେ। ଅକ୍ଟୋବର ୧୫ ଓ ୧୬ ତାରିଖରେ ପାକିସ୍ତାନ ଦୁଇ ଦିନିଆ ଏସସିଓ କାଉନସିଲ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ (ସିଏଚ୍ଜି) ଶିଖର ସମ୍ମିଳନୀଆୟୋଜନ କରୁଛି।
ଏସସିଓ ସିଏଚ୍ଜି ବୈଠକ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ ଏବଂ ସଂଗଠନର ବାଣିଜ୍ୟ ଏବଂ ଅର୍ଥନୈତିକ ଏଜେଣ୍ଡା ଉପରେ ଗୁରୁତ୍ୱ ଦେଇଥାଏ । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ ବୋଲି ନୂଆଦିଲ୍ଲୀରେ ଏକ ସଂକ୍ଷିପ୍ତ ବିବୃତିରେ କୁହାଯାଇଛି। ଏସସିଓ ଢାଞ୍ଚାରେ ଭାରତ ସକ୍ରିୟ ଭାବରେ ନିୟୋଜିତ ଅଛି, ଯେଉଁଥିରେ ଏସସିଓ ଢାଞ୍ଚାରେ ବିଭିନ୍ନ ବ୍ୟବସ୍ଥା ଏବଂ ପଦକ୍ଷେପ ଅନ୍ତର୍ଭୁକ୍ତ।
ଅଧିକ ପଢ଼ନ୍ତୁ: ଇସଲାମାବାଦରେ ଏସ୍ସିଓ ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା