ନୂଆଦିଲ୍ଲୀ: ବାଂଲାଦେଶରେ କ୍ଷମତା ହାତରୁ ଖସିବା ଓ ରକ୍ତାକ୍ତ ସଂଘର୍ଷ ପରେ ଦେଶରୁ ପଳାୟନ କରିଥିବା ଶେଖ ସହିନାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ସ୍ଥାନୀୟ ମିଡିଆ ଅନୁସାରେ ଦେଶର ଏକ ଅଦାଲତ ତାଙ୍କ ଉପରେ ମାନବତା ବିରୋଧରେ ଅପରାଧ କରିଥିବା ଅଭିଯୋଗରେ ଗିରଫ ୱାରେଣ୍ଟଜାରି କରିଛନ୍ତି । ସଂପ୍ରତି ଶେଖ ହସିନା ଭାରତ ଶରଣରେ ଅଛନ୍ତି । ସେ କେଉଁଠି ଅଛନ୍ତି ତାର କୌଣସି ସୂଚନା ଦିଆଯାଇ ନାହିଁ । ତାଙ୍କୁ କୌଣସି ସୁରକ୍ଷିତ ସ୍ଥାନରେ ରଖାଯାଇଥିବା କୁହାଯାଉଛି ।
ଶେଖ ହସିନାଙ୍କ ବିରୋଧରେ ଅଦାଲତରେ ଯାଚିକା ଦାୟର କରିଥିବା ଓକିଲ ମହମ୍ମଦ ତାଜୁମ ଇସଲାମ କହିଛନ୍ତି, ଏହା ବହୁତ ସ୍ମରଣୀୟ ଦିନ । ବାଂଲାଦେଶରେ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ଜଣେ ପରିଜନ କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ସୁଖଦ ଖବର । ଆଶା କରୁଛୁ ଶେଖ ହସିନାଙ୍କ ବିରୋଧରେ ଟ୍ରାଏଲ ଆଗକୁ ବଢିବ ଓ ଆମକୁ ନ୍ୟାୟ ମିଳିବ ।
ଉଲ୍ଲେଖନୀୟ ଶେଖ ହସିନା ବାଂଲାଦେଶରେ ୧୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ବିରୋଧରେ ଅଭିେ ଯାଗ ହୋଇଛି ଯେ, ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ଶାସନକାଳରେ ବ୍ୟାପକ ମାତ୍ରାରେ ଲୋକଙ୍କ ଗିରଫଦାରୀ ହୋଇଥିଲା । ଏପରିକି ସେ ରାଜନୈତିକ ବିରୋଧୀଙ୍କୁ ବାଛି ବାଛି ମାରିଥିଲେ ।
ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରାଇମ ଟ୍ରାଇବ୍ୟୁନାଲର ମୁଖ୍ୟ ଆଡଭୋକେଟ୍ ତାଜୁମ ଇସଲାମ କହିଛନ୍ତି ଶେଖ ହସିନାଙ୍କୁ ନଭେମ୍ବର ୧୮ରେ ଅଦାଲତରେ ହାଜର ହେବାକୁ ଆଦେଶ ଦିଆଯାଇଛି । ଶେଖ ହସିନା ସେହି ଲୋକଙ୍କ ନେତୃତ୍ୱ ନେଇଥିଲେ ଯେଉଁମାନେ ଦେଶରେ ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ହିଂସା ଭିଆଇଥିରେ । ଏଥିରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା ବୋଲି ତାଜୁଲ ଇସଲାମ କହିଛନ୍ତି । ଶେଖ ହସିନାଙ୍କ ବ୍ୟତୀତ ୪୪ ଜଣଙ୍କ ବିରୋଧରେ ମଧ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି ।