ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଭାରତ ସହ ସମ୍ପର୍କ ଖରାପ କରିବାରେ ଇମ୍ରାନ ଖାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନୱାଜ କହିଛନ୍ତି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତକୁ ନେଇ ନୱାଜ ସରିଫ୍ ବେଶ୍ ଉତ୍ସାହିତ ଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ ସମ୍ପର୍କରେ ଜମା ହୋଇଥିବା ବରଫକୁ ତରଳିବା ପାଇଁ ଏହା ଏକ ଭଲ ଆରମ୍ଭ।
ତିନି ଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ୍ ଗୁରୁବାର କହିଛନ୍ତି ଯେ ଉଭୟ ପକ୍ଷ ଏବେ ଆଲୋଚନା କରିବା ଉଚିତ। ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାହୋର ଗସ୍ତକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ପୁରୁଣା ଜିନିଷକୁ ଭୁଲି ନୂଆ କରି ଆରମ୍ଭ କରିବାର ସମୟ ଆସିଛି ବୋଲି ନୱାଜ କହିଛନ୍ତି।
ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅକ୍ଟୋବର ୧୫ରେ ପାକିସ୍ତାନରେ ପହଞ୍ଚିଥିଲେ। ୯ ବର୍ଷ ପରେ ଏହା ଥିଲା ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ। ଶେଷ ଥର ପାଇଁ ସୁଷମା ସ୍ୱରାଜ ପାକିସ୍ତାନ ଗସ୍ତ କରିଥିଲେ।
ନୱାଜ ସରିଫ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ଏବଂ ବାଣିଜ୍ୟ ପୁଣି ଥରେ ଆରମ୍ଭ ହେବା ଉଚିତ। ଏହା ଦ୍ୱାରା ସମ୍ପର୍କରେ ଜମା ହୋଇଥିବା ବରଫ ତରଳିଯିବ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ରେ ଉନ୍ନତି ଆଣିବା ପାଇଁ ମୁଁ ଏକ ସେତୁ ଭୂମିକା ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି।
ନଓ୍ଵାଜ ସରିଫ କହିଛନ୍ତି ଯେ ଆମେ ଭଲ ପଡ଼ୋଶୀଙ୍କ ଭଳି ବଞ୍ଚିବା ଉଚିତ। ଲଢ଼େଇରେ ପାଖାପାଖି ୭୦ ବର୍ଷ ବିତିଗଲାଣି। ଏଥିପାଇଁ ଆଉ ୭୦ ବର୍ଷ ସମୟ ଲାଗିବ ନାହିଁ। ଉଭୟ ଦେଶ ବସି ଆଲୋଚନା କରି ସକାରାତ୍ମକ ଢଙ୍ଗରେ ଆଗକୁ ବଢ଼ିବା ଦରକାର। ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଠପ୍ ହୋଇଯାଇଛି। ସେପଟେ ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ।