ପୁରୀ: ଆଜିଠୁ ଆରମ୍ଭ ହୋଇଛି ପୁଣ୍ୟର ମାସ କାର୍ତ୍ତିକ ମାସ । ଏ ମାସ ହେଉଛି ଧର୍ମ ଓ ପୁଣ୍ୟର ମାସ । ଗୋଟେ ମାସ ହବିଷ କରି ପୁଣ୍ୟ ଅର୍ଜନ କରିଥାନ୍ତି ହବିଷ୍ୟାଳୀମାନେ । ହବିଷ୍ୟାଳୀମାନେ ହବିଷ ଓ କାର୍ତ୍ତିକ ମାସ ପାଳିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଧାମ ଶ୍ରୀ କ୍ଷେତ୍ରକୁ ଯାଇଛନ୍ତି । ସେଥିପାଇଁ ଚଳଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଏକ ମାସ ଧରି ହବିଷ୍ୟାଳୀମାନେ ନିଜ ଘର ଛାଡି ଶ୍ରୀ କ୍ଷେତ୍ରକୁ ଯାଇଥାନ୍ତି । ହବିଷ କରି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଏଥିପାଇଁ ଶ୍ରୀକ୍ଷେତ୍ରରେ ଶହ ଶହ ହବିଷ୍ୟାଳୀଙ୍କ ଭିଡ଼ ଜମିଛି ।
ହବିଷ୍ୟାଳୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀ ଓ ଭକ୍ତମାନେ କିପରି ମହାପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରୀ ମନ୍ଦିରକୁ ପ୍ରବେଶ କରିପାରିବେ । ପରେ ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ ।
ଆଜି ପ୍ରଭାତରୁ ହବିଷ୍ୟାଳୀମାନେ ସ୍ନାନ କରି ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ପରେ ବାଲୁକା ପୂଜା କରିବା ସହିତ ତୁଳସୀ ଗଛ ମୂଳରେ ମୁରୁଜ ପକାଇଛନ୍ତି । ଏହା ସହିତ ଆଜି ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।