ଲଙ୍କା ଗୁଣ୍ଡ,ହଳଦୀ ,କ୍ଷୀର ,ତେଲ, ଘିଅ, ଚାହା ପତି ପରେ ଏବେ ଅପମିଶ୍ରିତ ଆଇସକ୍ରିମ୍। କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱର ଓ କଟକରୁ ଏଭଳି ଖବର ଆସିଥିବା ବେଳେ ଗୁରୁବାର ଷ୍ଟିଲ୍ ସିଟି ରାଉରକେଲାରେ ଠାବ ହୋଇଛି ଏକ ବେନାମୀ ଆଇସକ୍ରିମ୍ ଫ୍ୟାକ୍ଟ୍ରି। ମହାନଗର ନିଗମ ଓ ଫୁଡ୍ ସେଫ୍ଟି ବିଭାଗ ମିଳିତ ଭାବେ ଚଢ଼ଉ କରି ପ୍ରାୟ ଦେଢ଼ କ୍ୱିଣ୍ଟାଲ୍ ଆଇସ୍କ୍ରିମ୍ ନଷ୍ଟ କରିଛି। ଏଥିସହ ସମ୍ପୃକ୍ତ ଆଇସ୍କ୍ରିମ୍ ବ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି।
ସୂଚନା ରହିଛି , ରାଉରକେଲା ଟାଉନ୍ରେ ରହିଛି ରେନ୍ବୋ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି। ଏଠାରେ ବିଭିନ୍ନ ଫ୍ଲେବରର ଆଇସ୍କ୍ରିମ୍ ତିଆରି ହୋଇଥାଏ। କିନ୍ତୁ ଏହା ଖରାପ ପାଣିରେ ତିଆରି ହେଉଛି। ସେଠାକାର ପରିବେଶ ଅତି ଦୟନୀୟ ରହିଛି। ଏଥିସହ ଆଇସ୍କ୍ରିମ୍ରେ ପ୍ରସ୍ତୁତି ଓ ଏକ୍ସପାରୀ ତାରିଖ ରହୁନଥିଲା। ଏପରିକି ବ୍ୟାଚ୍ ନମ୍ୱର ମଧ୍ୟ ରହୁନଥିଲା। ଏନେଇ ଅଭିଯୋଗ ହେବା ପରେ ପ୍ରାୟ ଦେଢ଼ ବର୍ଷ ତଳେ ମହାନଗର ନିଗମ ଓ ଫୁଡ୍ ସେଫ୍ଟି ବିଭାଗ ମିଳିତ ଚଢ଼ଉ କରି ତାଗିଦ୍ କରିଥିଲେ। ଏଥିସହ ଆଇସ୍କ୍ରିମ୍ରେ ପ୍ରସ୍ତୁତି, ସମୟ ଅତିକ୍ରାନ୍ତ ତାରିଖ ଓ ଲାଇସେନ୍ସ କରିବା ପାଇଁ କୁହାଯାଇଥିଲା। ହେଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିଲେ।
ପୁଣି ଅଭିଯୋଗ ପରେ ଗୁରୁବାର ମଧ୍ୟାହ୍ନରେ ମହାନଗର ନିଗମ ଓ ଫୁଡ୍ ସେଫ୍ଟି ବିଭାଗ ମିଳିତ ଭାବେ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଅତି ଖରାପ ପରିବେଶରେ ଆଇସ୍କ୍ରିମ୍ ତିଆରି ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହ ଆଇସ୍କ୍ରିମ୍ର ପ୍ରସ୍ତୁତି ଓ ସମୟ ଅତିକ୍ରାନ୍ତ ତାରିଖ ନଥିଲା। ତେଣୁ ଉକ୍ତ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିକୁ ମହାନଗର ନିଗମ ସିଲ୍ କରିଛି।