ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୋଭାଗ୍ୟବଶତଃ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ । କିନ୍ତୁ BMW କାରଟି ଭାଙ୍ଗି ନଷ୍ଟ ହୋଇଯାଇଛି ।
ସୂଚନା ଅନୁସାରେ, ଭୁବନେଶ୍ୱରର ଶୈଳଶ୍ରୀ ବିହାର-ମୈତ୍ରୀ ବିହାର ରାସ୍ତାରେ ଏକ BMW କାର୍ ଦ୍ରୁତଗତିରେ ଆସୁଥିବା ସମୟରେ ଡିଭାଇଡରକୁ ପିଟି ରାସ୍ତା କଡରେ ଥିବା ଲୁହା ବାଡ଼ରେ ଘଷି ହୋଇ କିଛି ମିଟର ପଳେଇଥିଲା । ଏହି ଦୁର୍ଘଟଣାରେ କାରର ଗୋଟେ ପାର୍ଶ୍ଵ ଭାଙ୍ଗି ନଷ୍ଟ ହୋଇଯାଇଛି । କାରରେ ଥିବା ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଖବର ପାଇ , ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
କାର୍ ଚାଳକକୁ ଘଟଣାସ୍ଥଳରେ ଅଟକ ରଖାଯାଇ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି । କାର୍ ଚାଳକର ଅସାବଧାନତା ପାଇଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଚାଳକ ଜଣକ ଏହି କଥାକୁ ସ୍ୱୀକାର କରୁନାହାନ୍ତି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।