ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ଅଘଟଣ ଘଟିଛି । ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ପ୍ରଖର ସ୍ରୋତରେ ବୁଡ଼ିଗଲା ମାଛଧରା ଡ଼ଙ୍ଗା । ଦୁଇ ଜଣ ମତ୍ସ୍ୟଜୀବି ଉଦ୍ଧାର ହୋଇଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି ।
ମଧ୍ୟାହ୍ନ ସମୟରେ ଦୟା ସାଗର ନାମକ ଏକ ମାଛ ଧରା ବୋଟ ସମୁଦ୍ର ଭିତରୁ ମାଛ ଧରି ଫେରୁଥିବା ସମୟରେ ପ୍ରବଳ କରେଣ୍ଟ କାରଣରୁ ଓଲଟି ପଡିଥିଲା l ଫଳରେ ଡଙ୍ଗାରେ ରହିଥିବା ତିନିଜଣ ମତ୍ସ୍ୟଯିବିଙ୍କ ମଧ୍ୟରୁ ଦୁଇଜଣ ଓଲଟି ପଡ଼ିଥିବା ଡଙ୍ଗାକୁ ଧରି ରହିଯାଇଥିଲେ । ମାତ୍ର ଆଉ ଜଣେ ମତ୍ସ୍ୟଜୀବି ନିଖୋଜ ଅଛନ୍ତି l ନିଖୋଜ ମତ୍ସ୍ୟଜୀବି ହେଲେ ଷଣ୍ଢକୁଦ ବସ୍ତିର ଗୋପାଳ ଶ୍ରୀନୁ l ନିକଟରେ ରହିଥିବା ଆଉ ଏକ ମାଛଧରା ଡ଼ଙ୍ଗା ବର୍ତ୍ତି ଯାଇଥିବା ଦୁଇଜଣ ମତ୍ସ୍ୟଜୀବିଙ୍କୁ କୂଳକୁ ନେଇ ଆସିଥିଲା । ନିଖୋଜ ମତ୍ସ୍ୟଜୀବିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ମହାନଦୀ ଓ ବଙ୍ଗୋପସାଗର ମିଳନସ୍ଥଳୀ ମୁହାଣ ମୁହଁ ପୋତି ହୋଇଯିବା କାରଣରୁ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟୁଥିବା ମତ୍ସ୍ୟଜୀବିମାନେ ଅଭିଯୋଗ କରିଛନ୍ତି । ଏହା ସହିତ ଉଦ୍ଧାର କାର୍ଯ୍ୟରେ ମଧ୍ୟ ପ୍ରଶାସନ ବାରମ୍ବାର ବିଫଳ ହେଉଥିବା ଅଭିଯୋଗ ହୋଇଛି ।