ପିପିଲି : ବିବାହର ତିଥି ନଥିଲେ ମଧ୍ୟ ଚାଲିଛି ବିବାହ। ବାଜୁଛି ଡିଜେ ଏବଂ ଲୋକେ ଖାଉଛନ୍ତି ଭୋଜି। ଧୁମଧାମରେ ଚାଲିଛି ବିବାହ ଉତ୍ସବ। ଚାରିଆଡେ ସାଜସଜା ସହିତ ନନାଙ୍କ ବେଦପାଠରେ ଉଚ୍ଛୁଳି ଉଠୁଛି ଗଗନ ପବନ। ବିବାହକୁ ମନଭରି ଉପଭୋଗ କରୁଛନ୍ତି ସମସ୍ତେ। ତେବେ ଆପଣ ମାନେ ନିହାତି ଭାବୁଥିବେ ବିବାହର ତିଥି ନଥାଇ ମଧ୍ୟ କିପରି ହେଉଛି ବିବାହ ? ଏ କଥାକୁ ଆପଣଙ୍କୁ ମିଛ ଲାଗୁଥିବ ମାତ୍ର କଥାଟି ସମ୍ପୂର୍ଣ ସତ। ଏପରି ନିଆରା ବିବାହ ପିପିଲିର ଭାରତୀପୁର ଗ୍ରାମରେ ଦେଖିବାକୁ ମିଳିଛି।
କୁମାରପୂର୍ଣ୍ଣିମା ସହିତ ଏହି ବିବାହର ନିବିଡ଼ ଭାବରେ ସମ୍ପର୍କ ରହିଛି। ଭାରତୀପୁର ଗ୍ରାମରେ କୁମାରପୂର୍ଣ୍ଣିମା ଦିନ ସମସ୍ତେ ସକାଳୁ ପୂଜା କରିସାରିବା ପରେ ରାତିରେ ହୁଏ କଣ୍ଢେଇ ବାହାଘର। କଣ୍ଢେଇ ବାହାଘରରେ କୌଣସି କଣ୍ଢେଇକୁ ବିବାହ କରାଯାଏ ନାହିଁ। ଦୁଇଟି କୁନି ଝିଅ ପରସ୍ପରକୁ ବିବାହ କରିଥାନ୍ତି। ପାରମ୍ପରିକ ରୀତିନୀତି ଅନୁସାରେ ଏହି ବିବାହ ହୋଇଥାଏ। ଯେପରି ବର ପକ୍ଷ ଲୋକେ ପ୍ରସେସନ କରି କନ୍ୟା ପକ୍ଷ ଘରକୁ ଆସିଥାନ୍ତି ଠିକ ସେହିପରି ଏହା ଅନୁଷ୍ଠିତ ହୋଇଥାଏ। ଏହି ବାହାଘରେ ସବୁ କୁଣିଆ ବନ୍ଧୁବାନ୍ଧବ ଆସିଥାନ୍ତି। ସବୁ ପ୍ରକାରର ବନ୍ଦୋବସ୍ତ କରାଯାଏ କିନ୍ତୁ ଯୌତୁକ ଦିଆଯାଏ ନାହିଁ। ବିନା ଯୌତୁକରେ କିପରି ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିବ ଏହା ସମାଜକୁ ବାର୍ତା ଦେବା ପାଇଁ ଏହି କଣ୍ଡେଇ ବିବାହ କରାଯାଏ।