ଯାଜପୁର: ସରିଯାଇଛି ପାର୍ବଣ ଋତୁ। ମେଲାଣି ନେଇଛନ୍ତି ମା ଦଶଭୁଜା। ସବୁଠାରେ ଦୁର୍ଗାପୂଜା ଧୁମଧାମରେ ପାଳନହେବା ସହ ମା'ଙ୍କର ଭସାଣି ଉତ୍ସବ ମଧ୍ୟ ସରିଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ମାଙ୍କର ପୂଜା 4 ଦିନ ହେବ ସମାପ୍ତ ହୋଇଥିବା ବେଳେ ଏ ଯାଇଁ ମା'ଙ୍କୁ ବିସର୍ଜନ କରାଯାଇନାହିଁ। ଜମି ବିବାଦ କାରଣରୁ ଏପରି ସମସ୍ୟା ଉତ୍ପନ ହେଉଥିବାର ଦେଖାଯାଇଛି ।
ଦୁର୍ଗା ମଣ୍ଡପ ଏବଂ ଏହାର ପାଖକୁ ଲାଗିଥିବା ଜମି ବିବାଦ କାରଣରୁ ଏହି ସମସ୍ୟା ହୋଇଥିବା ସୂଚନା ମିଳିଛି । ଜମିବିବାଦ ଏତେ ପରିମାଣରେ ଏଠାରେ ବଢିଯାଇଛି ଯେ ,ଘଟଣାସ୍ଥଳରେ 144 ଧାରା ଲାଗୁହୋଇଛି । ସାମ୍ପ୍ରତିକ ବିବାଦକୁ ନେଇ ଜମିମାଲିକ ଜାଣିଶୁଣି ଏପରି କରୁଥିବାର ଅଭିଯୋଗ କରିଛନ୍ତି ଦୁର୍ଗାପୂଜା କମିଟିର ଜଣେ ସଦସ୍ୟ । ସେ କହିଛନ୍ତି ଯେ ମା'ଙ୍କର ପୂଜା କରିବା ଆଗରୁ ଆମେ ଏହି ବାବଦରେ ଉକ୍ତ ଜମି ମାଲିକଙ୍କ ସହିତ କଥା ହୋଇଥିଲୁ । ସେ ଅନୁମତି ଦେଲାପରେ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏବେ ସେ ବାଲି ପକେଇ ରାସ୍ତା ଅବରୋଧ କରିବାରୁ ଦୁର୍ଗା ଭସାଣିରେ ବାଧାପ୍ରାପ୍ତ ହେଉଛି । ଯାହାଫଳରେ 4 ଦିନ ହେଲାଣି ମା'ଙ୍କର ବିସର୍ଜନ ସରିଥିଲେ ମଧ୍ୟ ମେଲାଣି ନେଇପାରୁନାହାନ୍ତି ।
ଅପରପକ୍ଷରେ ଏହି ଅଭିଯୋଗକୁ ସମ୍ପୂର୍ଣ ଖଣ୍ଡନ କରିଛନ୍ତି ଜମି ମାଲିକ। ସେ କହିଛନ୍ତି ମୋର କାମ ଆଜିର ନୁହେଁ ,ବିଗତ ଅନେକ ଦିନ ହେଲା ମୋର କାମ ଚାଲିଆସୁଛି। ମୋର କାମ ନିମିତ୍ତ ମୁଁ ବାଲି ପକାଇଥିଲି। ମୁଁ ଆଗରୁ ଏ ସମୟ ବିଷୟରେ କହିଥିଲେ ମଧ୍ୟ କେହି ଶୁଣିନଥିଲେ। ଏବେ ମୁଁ ବାଲି ସ୍ଥାନାନ୍ତର କରିପାରିବି ନାହିଁ । ତେବେ ପୂଜା ଏବଂ ମା' ଙ୍କ ଉପରେ ମୋର କୌଣସି ଆକ୍ରୋଶ ଭାବି ନଥିବା ସେ କହିଛନ୍ତି ।
ପୂଜାକୁ ଅନେକଦିନ ବିତିଥିଲେ ମଧ୍ୟ ମା' ଏ ପର୍ଯ୍ୟନ୍ତ ମେଲାଣି ନେଇପାରୁନାହାନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ କରିବା ସହିତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛି ।