ମୁମ୍ବାଇ: ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାରେ ମୁମ୍ବାଇ ପୁଲିସ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଜେରା କରିବାକୁ ଚାହଁଛି । ବିଷ୍ଣୋଇକୁ ନିଜ ହେପାଜତରେ ନେବାକୁ ପୁଲିସ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ଲୋଡ଼ିଛି । ମନ୍ତ୍ରଣାଳୟ ପୁଲିସର ଆବେଦନ ବିଚାର କରୁଥିବା ଜଣା ପଡ଼ିଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଟକଣା ଯୋଗୁଁ ଲରେନ୍ସ ବିଷ୍ଣୋଇକୁ ଜେରା କରି ପାରୁ ନାହିଁ ମୁମ୍ବାଇ ପୁଲିସ । ତେବେ ତାଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିବା ଜଣାପଡ଼ିଛି । ମନ୍ତ୍ରଣାଳୟ ମଧ୍ୟ ପୁଲିସର ଆବେଦନକୁ ଗ୍ରହଣ କରି ଏହା ବିଚାର କରୁଛି । ବାବା ସିଦ୍ଦିକି ହତ୍ୟାକାଣ୍ଡ ଏବଂ ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ଼ ଘଟଣାରେ ଲରେନ୍ସ ବିଷ୍ଣୋଇର ସମ୍ପୃକ୍ତି ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେଣୁ ତାକୁ ଜେରା କରିବାକୁ ପୁଲିସ ଅନୁମତି ଲୋଡ଼ିଛି ।
କାହିଁକି ଲରେନ୍ସ ବିଷ୍ଣୋଇକୁ ହେପାଜତକୁ ନେଇ ପାରୁନି ମୁମ୍ବାଇ ପୁଲିସ ?
ଲରେନ୍ସ ଏବେ ଗୁଜୁରାଟର ସାବରମତୀ ଜେଲରେ ରହିଛି । କେନ୍ଦ୍ରା ଗୃହ ମନ୍ତ୍ରଣାଳୟର ଲାଗୁ କରିଥିବା ଧାରା ୨୬୮ (୧) ଅନୁସାରେ ତାକୁ କେହି ନିଜ ହେପାଜତକୁ ନେଇ ପାରିବେ ନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ଏହା କଟକଣା ଜାରି କରିଛି । ୨୦୨୩, ଅଗଷ୍ଟରୁ ଏହି କଟକଣା ଏକ ବର୍ଷ ପାଇଁ ଜାରି କରାଯାଇଥିଲା । ଚଳିତ ବର୍ଷ ୨୦୨୪, ଅଗଷ୍ଟରେ ଏହି ଅବଧି ଶେଷ ହୋଇଥିଲା । ତେବେ ପୁନର୍ବାର ଅଗଷ୍ଟ ୨୦୨୪ରୁ ଏହି ଅବଧିକୁ ଏକ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା । ସେଥିପାଇଁ ମୁମ୍ବାଇ ପୁଲିସ ଲରେନ୍ସକୁ ନିଜ ହେପାଜତକୁ ନେଇ ପାରୁ ନାହିଁ ।