ମାଲକାନଗିରି: ରକ୍ଷକ ସାଜିଲା ଭକ୍ଷକ। ଗୋଟେ ଝିଅ ପାଇଁ ତାର ବାପା ହିଁ ତାର ସବୁଠାରୁ ବଡ଼ ସାହସ। ଏଠାରେ କିନ୍ତୁ ଚିତ୍ର ପୁରା ଓଲଟା। ଜଣେ ବାପା ନିଜର ପାଞ୍ଚବର୍ଷର ନାବାଳିକା ଝିଅକୁ ଛୁରୀ ଭୁସି ହତ୍ୟା କରିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର ଆରଏସ୍ସି-୧୪ ଗ୍ରାମରେ ଏପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ମୃତ ଝିଅଟି ହେଲା ବ୍ଲେଶି ରାଣୀ ଭତ୍ରା। ନିଜ ଝିଅକୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ଅଭିଯୁକ୍ତ ସଂଜୀବ ଭତ୍ରା ଫେରାର ହୋଇଯାଇଛି।
ଆଜି ସକାଳେ ରାଣୀ ପଡ଼ୋଶୀ ଘରେ ଖେଳୁଥିଲା। ଏହି ସମୟରେ ସଞ୍ଜୀବ ଏକ ଛୁରୀ ଆଣି ନିଜ ଝିଅ ପେଟରେ ଭୁସି ଦେଇଥିଲା। କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ। ତେବେ ଦ୍ବିତୀୟ ସ୍ତ୍ରୀ ପ୍ରରୋଚନାରେ ପଡି ଏପରି କାଣ୍ଡ ଭିଆଇଥିବା ଝିଅର ଜେଜେବାପା ସ୍ୱୀକାର କରିଛନ୍ତି।
ତେବେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ମୃତ ଝିଅର ଜେଜେବାପା ପୁଲିସକୁ ଅନୁରୋଧ କରିଛନ୍ତି। ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।