ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସି ଆମେରିକାରେ କରୁଥିଲେ ସାଇବର ଠକେଇ । ସେ ପୁଣି କେଉଁ ସାଇବର କାଫେରେ ନୁହେଁ, ବରଂ ଘର ଭଡ଼ା ନେଇ ଆପାର୍ଟମେଣ୍ଟରେ ଚାଲିଥିଲା ବେଆଇନ କଲ ସେଣ୍ଟର । ବୁଧବାର ଏହି ବେଆଇନ କଲ ସେଣ୍ଟର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ । ୬ ଜଣଙ୍କୁ ଅଟକ ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ଭୁବନେଶ୍ୱର କପିଳପ୍ରସାଦ-ଜଟଣୀ ରୋଡ୍ ରେ ଥିବା କାଞ୍ଚନ ଆପାର୍ଟମେଣ୍ଟର A-BLOCKର ଦ୍ୱିତୀୟ ମହଲାରେ ଥିବା ଘର ନମ୍ବର ୨୦୬ରେ କିଛି ଯୁବକ ବେଆଇନ୍ କଲ ସେଣ୍ଟରେ ଚଳାଇଥିଲେ । ଫେକ୍ କଲ୍ କରି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିଲେ । ଏ ବାବଦରେ ସାଇବର ବିଭାଗ ଏବଂ ପୁଲିସ ସୂଚନା ପାଇବା ପରେ ଆଜି ସକାଳେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରେ ଫେକ୍ କଲ ସେଣ୍ଟର ଚାଲୁଥିବା ଜାଣିବାକୁ ପାଇଛି ପୁଲିସ । ପୁଲିସ ଚଢ଼ାଉ କରି ଫୋନ୍, ମୋବାଇଲ, କିଛି ଅନ୍ୟାନ୍ୟ ଡିଭାଇସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।
ଏହା ସହିତ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୬ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଖାଲି ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ଏମିତିକି ବିଦେଶୀଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲେ । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଅଗଷ୍ଟ ମାସରେ କମିଶନରେଟ୍ ପୁଲିସ ରାଜୁ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଲକ୍ଷ୍ମୀ ସାଗର ଅଞ୍ଚଳରୁ ଗିରଫ କରିଥିଲା । ପଶ୍ଚିମବଙ୍ଗର ରାଜୁ ମଣ୍ଡଳ କଟକ ଏବଂ ଭୁବନେଶ୍ୱରରେ ସିମ ରାକେଟ୍ ଚଳାଇଥିଲା । ଏମିତିକି ଝାଡ଼ଖଣ୍ଡରେ ମଧ୍ୟ ତାର ନେଟୱାର୍କ ଥିଲା । ଏହି ମାମଲାରେ ଅନେକ ସିମ ବକ୍ସ ଜବତ ହୋଇଥିଲା । ଏହାର ମାଷ୍ଟର ମାଇଣ୍ଡ ମୁଖ୍ୟ ଅଭିଯୁକ୍ତ ଆସାଦୁର ଜମାନ ବାଂଲାଦେଶରେ ରହୁଥିବା ଜଣାପଡ଼ିଥିଲା ।