ସୋନପୁର: ଏକ ଡକାୟତ ମାମଲାରେ ତଦନ୍ତ କରିବାକୁ ଯାଇଥିବା ପୁଲିସ ଟିମକୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏମିତି ଅଭାବନୀୟ ଘଟଣା ଘଟିଛି ସବୁର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଆନନ୍ଦନଗର ଗ୍ରାମରେ । ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଓ ୩ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି । ଆହତମାନେ ହେଲେ ଏସ୍ଆଇ ସୁଜାତା ବୁଡେକ୍, ଏଏସ୍ଆଇ ତ୍ରିନାଥ ସାହୁ ଓ କନେଷ୍ଟବଳ ଗୋପୀନାଥ ସାହୁ । ସେହିପରି ଦୁଇ ଜଣ ନାବାଳକଙ୍କ ସମେତ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାନନ୍ଦ ଆହତ ହୋଇଛନ୍ତି । ପୁଲିସ ୧୧ ଜଣଙ୍କୁ ଅଟକ ରଖିଛି ।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଚନ୍ଦ୍ରକାନ୍ତ ମହାନନ୍ଦ ଓ ଅନ୍ୟ ୨ ଜଣ ନାବାଳକ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ଠିଆ ହୋଇ ଲୋକଙ୍କୁ ହଇରାଣ କରୁଥିଲେ । ରାତିରେ ଚାଷଜମିକୁ ପାଣି ମଡ଼ାଇବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଚାଷୀ ଜଣକ ଚିତ୍କାର କରିଥିଲେ । ଅନ୍ୟ ଚାଷୀମାନେ ଦୌଡ଼ି ଆସିବାକୁ ଡକାୟତମାନେ ସିଙ୍ଘିଯୁବା-ପାତି ଗାଁ ରାସ୍ତାରେ ଥିବା ଆନନ୍ଦନଗର କ୍ଲବ ଘରେ ପଶି ଯାଇଥିଲେ । ଗ୍ରାମବାସୀ କ୍ଲବ ଘରେ ତିନି ଜଣଙ୍କୁ ପୁରାଇ ତାଲା ଦେଇ ଥିଲେ ଏବଂ ବିନିକା ପୁଲିସକୁ ସୂଚନା ଦେଇଥିଲେ ।
ଆଜି ସକାଳେ ପୁଲିସ ଟିମ୍ ଗାଁରେ ପହଁଚିଥିଲା । ପୁଲିସ ଆଲୋଚନା କରୁଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମାଆ ପୁଲିସ ସମ୍ମୁଖରେ ଉଲ୍ଲଗ୍ନ ହୋଇ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯଦ୍ୱାରା ଗ୍ରାମବାସୀ ତାତି ଯାଇଥିଲେ । ସମସ୍ତେ ମିଶି ପୁଲିସ ଟିମ ଏବଂ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଏବଂ ପୁଲିସର ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ ।
ସୋନପୁର ଏସ୍ଡିପିଓ ପ୍ରତାପ ତ୍ରିପାଠୀ ଗାଁରେ ପହଁଚି ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରିଥିଲେ । ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଲାଠି ଚାର୍ଜ ମଧ୍ୟ କରାଯାଇଥିଲା । ଏହା ପରେ ପୁଲିସ ୩ ପୁଲିସ ଅଧିକାରୀ ଏବଂ ୩ ଅଭିଯୁକ୍ତଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ମାମଲାରେ ପୁଲିସ୍ ୧୧ ଜଣ ଗାଁ ଲୋକଙ୍କୁ ଅଟକ ରଖିଛି ।