ନୂଆଦିଲ୍ଲୀ/ୱାଶିଂଟନ: ଆମେରିକୀୟ ନାଗରିକ ତଥା ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କ ହତ୍ୟା ଉଦ୍ୟମରେ ଜଣେ ଭାରତୀୟ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗର ତଦନ୍ତ ପାଇଁ ଗଠିତ ଇଣ୍ଡିଆନ୍ ଇନ୍କ୍ବେରି କମିଟି ଆଜି ଆମେରିକା ଅଭିମୁଖେ ଯାତ୍ରା କରିବ।
ପନ୍ନୁଙ୍କୁ ହତ୍ୟା ଉଦ୍ୟମ ପଛରେ ଭାରତୀୟ ଅଧିକାରୀଙ୍କ ହାତ ଥିବା ଦାବି କରାଯାଇଥିଲା। ଏହି ଅଭିଯୋଗ ଉପରେ ଭାରତ ଏକ ତଦନ୍ତ କମିଟି ଗଠନ କରିଥିଲା। ଏବେ ଏହି ଟିମ୍ ଆଜି ଅର୍ଥାତ୍ ଅକ୍ଟୋବର ୧୫ତାରିଖରେ ଆମେରିକା ଗସ୍ତରେ ଯାଇ ଅଭିଯୋଗର ତଦନ୍ତ କରିବ। ଆମେରିକା ର ବୈଦେଶିକ ବିଭାଗ ଏହି ସୂଚନା ଦେଇଛି।
ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟକୁ ଉଦ୍ଧୃତ କରି ଜାତୀୟ ଗଣମାଧ୍ୟମ କହିଛି ଯେ ତଦନ୍ତକାରୀ କମିଟି ଅକ୍ଟୋବର ୧୫ରେ ୱାଶିଂଟନ ଡିସି ଗସ୍ତ କରିବ ଏବଂ ଏହି ମାମଲାରେ ଆଲୋଚନା କରିବ, ଯେଉଁଥିରେ ସେମାନେ ପାଇଥିବା ସୂଚନା ଏବଂ ଆମେରିକୀୟ କର୍ତ୍ତୃପକ୍ଷଙ୍କଠାରୁ ଚାଲିଥିବା ମାମଲା ବିଷୟରେ ସଦ୍ୟତମ ସୂଚନା ପାଇବେ।
ଏହାବ୍ୟତୀତ, ବୈଦେଶିକ ବିଭାଗ କହିଛି ଯେ ଭାରତ ଆମେରିକାକୁ ଜଣାଇଛି ଯେ ସେମାନେ ପୂର୍ବତନ ସରକାରୀ କର୍ମଚାରୀଙ୍କ ଅନ୍ୟ ସମ୍ପର୍କର ତଦନ୍ତ ଜାରି ରଖିଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଗତ ନଭେମ୍ବରମାସରେ ଆମେରିକାର ପ୍ରସିକ୍ୟୁଟରମାନେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ନ୍ୟୁୟର୍କରେ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ।
ଗୁପ୍ତାଙ୍କୁ ଗତ ବର୍ଷ ଜୁନ୍ରେ ଚେକ୍ ରିପବ୍ଲିକରେ ଗିରଫ କରାଯାଇଥିଲା ଏବଂ ଜୁନ୍ ୧୪ରେ ତାଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା। ଭାରତ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ମଧ୍ୟ ଏହାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ ତଦନ୍ତକାରୀ ଦଳ ଗଠନ କରିଛି। ଚଳିତ ବର୍ଷ ଜୁଲାଇମାସରେ ଗୃହ ମନ୍ତ୍ରଣାଳୟ ପନ୍ନୁଙ୍କ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ ଏଫ୍ ଜେ) ଉପରେ ଲାଗିଥିବା ନିଷେଧାଦେଶକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଥିଲା।
ଅଧିକ ପଢ଼ନ୍ତୁ: ତେଲ ଓ ପରମାଣୁ କାରଖାନା ଉପରେ ଆକ୍ରମଣ କରିବେ ନାହିଁ