ଶ୍ରୀନଗର: ଜମ୍ମୁ-କଶ୍ମୀରବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ହେଉଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। କିସ୍ତୱାର ଓ ଜଗତୀର ଗୋଟିଏ ମତଦାନ କେନ୍ଦ୍ରରେ ପ୍ରସ୍ତୁତି ଚାଲିଛି।
ପ୍ରଥମ ପର୍ଯ୍ୟାୟରେ ପମ୍ପୋର, ତ୍ରାଲ, ପୁଲୱାମା, ରାଜପୋରା, ଜୈନାପୋରା, ସୋପିଆନ, ଡିଏଚ ପୋରା, କୁଲଗାମ, ଦେବସର, ଡୋରୁ, କୋକେରନାଗ (ଏସଟି), ଅନନ୍ତନାଗ ପଶ୍ଚିମ, ଅନନ୍ତନାଗ, ଶ୍ରୀଗୁଫୱାରା-ବିଜବେହରା, ସାଙ୍ଗୁସ-ଅନନ୍ତନାଗ ପୂର୍ବ, ପହଲଗାମ, ଇନ୍ଦ୍ରୱାଲ, କିସ୍ତୱାର, ପଦ୍ଦାର-ନାଗସେନି, ଭଦରୱାହ, ଡୋଡା, ଡୋଡା ପଶ୍ଚିମ, ରାମବନ ଏବଂ ବନିହାଲ ଆସନରେ ମତଦାନ ହେବ।
ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଦେଇଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୨୧୯ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ପୁଲୱାମା ଜିଲ୍ଲାର ପମ୍ପୋର ଆସନରେ ସର୍ବାଧିକ ପ୍ରାର୍ଥୀ ଅଛନ୍ତି ଯେଉଁଠାରେ ପ୍ରାର୍ଥୀଙ୍କ ସଂଖ୍ୟା ୧୪ ରହିଛି।
ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୨୭୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପରେ ୬୦ ଜଣ ନାମ ପ୍ରତ୍ୟାହାର କରି ନେଇଥିବା ବେଳେ ଏବେ ୨୧୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ଅଧିକ ପଢ଼ନ୍ତୁ: ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ