ଦୀର୍ଘ ୧୦ ବର୍ଷ ପରେ ହେବାକୁ ଯାଉଛି ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ । ଆସନ୍ତା ସେପ୍ଟେମ୍ବର ୧୮,୨୫ ଓ ଅକ୍ଟୋବର ୧ତାରିଖରେ ତିନି ପର୍ଯ୍ୟାୟରେ ମତ ଗ୍ରହଣ କରାଯିବ ବୋଲି ଭାରତର ନିର୍ବାଚନ ଆୟୋଗ ସୂଚନା ଦେଇଥିଲେ । ଅକ୍ଟୋବର ୪ ତାରିଖ ଦିନ ଫଳାଫଳ ପ୍ରକାଶ ପାଇବ ।
ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ନ୍ୟାସନାଲ କନ୍ଫରେନ୍ସ ଦଳର ନେତା ଓମାର ଅବଦୁଲ୍ଲା କହିଛନ୍ତି ନିର୍ବାଚନ ପରେ ପ୍ରଥମେ ସେ ବିଧାନସଭାରେ କେନ୍ଦ୍ର ସରକାରର ଧାରା ୩୭୦ ଉଚ୍ଛେଦ ବିରୋଧରେ ପ୍ରସ୍ତାବ ଆଣିବେ । ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ହେଲା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇ ସମଗ୍ର ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଲଗାଇ ପୁଣି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହାସଲ କରିବା । ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପୁନର୍ବାର ଫେରିପାଇବା ଆମର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ଓମାର ଅବଦୁଲ୍ଲା ।
ସୂଚନାଯୋଗ୍ୟ ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଜାମ୍ମୁ କାଶ୍ମୀର ଉପରୁ ଧାରା ୩୭୦ ଉଠାଇ ଦିଆଯାଇଥିଲା । ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହାଦ୍ୱାରା ଜାମ୍ମୁ କାଶ୍ମୀରରେ ବାଣିଜ୍ୟ, ଶିଳ୍ପ ତଥା ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି କରିବା ସହ ପଡୋଶୀ ରାଷ୍ଟ୍ରର ଆତଙ୍କବାଦୀ ଗତିବିଧିରେ ରୋକ ଲଗାଇବାରେ ସହାୟକ ହୋଇଥିଲା ।
ଅନ୍ୟ ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ବିଜେପି, ସିପିଆଇ ଓ ଡେମୋକ୍ରାଟିକ ପ୍ରୋଗ୍ରେସିବ ଆଜାଦ ପାର୍ଟି ନିର୍ବାଚନ ଆୟୋଗଙ୍କ ଘୋଷଣାକୁ ସ୍ୱାଗତ କରିଥିଲେ ।
ଇଲତିଜା ମୁଫତି, ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ, କହିଥିଲେ ଯେ ପିପୁଲସ ଡେମୋକ୍ରାଟିକ ପାର୍ଟି(ପିଡିପି) ନିର୍ବାଚନ ଆୟୋଗଙ୍କ ଘୋଷଣାକୁ ସ୍ୱାଗତ କରିଛି ।