ନୂଆଦିଲ୍ଲୀ: ପଞ୍ଜାବର ମୁକ୍ତସର ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା। ଆତ୍ମହତ୍ୟା କରିଛନ୍ତି ଜଣେ ଏମଡି ଛାତ୍ର। ମୃତକ ହେଲେ ୨୫ ବର୍ଷୀୟ ନବଦୀପ ସିଂ। ସେ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ୍ କଲେଜରେ ପିଜି ପଢୁଥିଲେ। ରବିବାର ସକାଳେ ତାଙ୍କ ମୃତଦେହ ପାର୍ସି ଅଞ୍ଜୁମନ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ନବଦୀପ ୨୦୧୭ର ନିଟ୍ ୟୁଜିର ପରୀକ୍ଷାରେ ସମଗ୍ର ଦେଶରେ ଟପ୍ପର ଥିଲେ। ସେ ରେଡିଓଲୋଜିରେ ପିଜି ପଢୁଥିଲେ। ତାଙ୍କ ଆତ୍ମହତ୍ୟା ଖବର ମୁକ୍ତସରରେ ଶୋକର ମାହୋଲ ଖେଳାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ପୋଲିସ ଅନୁଯାୟୀ, ନବଦୀପଙ୍କ ବାପା ତାଙ୍କ ପୁଅକୁ ବାରମ୍ବାର ଫୋନ କରିଥିଲେ। କଲ୍ ନ ଉଠାଇବାରୁ ସେ ନବଦୀପଙ୍କ କୌଣସି ସାଙ୍ଗ ପାଖକୁ ଯାଇ ଘଟଣା ବିଷୟରେ ପଚାରି ବୁଝିବାକୁ କହିଥିଲେ। ସାଙ୍ଗ ଜଣକ ନବଦୀପଙ୍କ ହଷ୍ଟେଲ ଯାଇ ରୁମ୍ ଲକ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ନବଦୀପ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନ ଥିବା ବେଳେ ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ଜଣା ପଡିନାହିଁ।
୨୦୧୭ ଜୁନରେ ନିଟ୍ ପରୀକ୍ଷା ଫଳାଫଳ ଆସିବା ପରେ ପୁରା ମୁକ୍ତସରରେ ଖୁସିର ଲହରି ଖେଳି ଯାଇଥିଲା। ନବଦୀପ ସିଂ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଆଉ ଏବେ ତାଙ୍କର ଆତ୍ମହତ୍ୟା ଖବର ସଭିଙ୍କୁ ମ୍ରିୟମାଣ କରିଛି। ତାଙ୍କ ବାପା ଗୋପାଲ ସିଂ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ। ପୁଅ ଡାକ୍ତର ହେବାକୁ ଚାହୁଁଥିଲା ବୋଲି ବାପା ଗୋପାଲ କହିଛନ୍ତି। ମୁଁ ଜଣେ ବିଜ୍ଞାନ ଶିକ୍ଷକ ଥିବାରୁ ପୁଅକୁ ମଧ୍ୟ ସେହି ପାଠ୍ୟକ୍ରମ ପୁଅର କ୍ୟାରିୟରକୁ ଆଗକୁ ବଢାଇବାକୁ ଚାହୁଁଥିଲି। ନିଟ୍ ପରି ପରୀକ୍ଷାରେ ଟପ୍ପର ହୋଇଥିବା ଜଣେ ପିଲା ଏମିତି ଆତ୍ମହତ୍ୟା କାରିବା ଖବରକୁ କେହି ଗ୍ରହଣ କରି ପାରୁ ନାହାନ୍ତି।