ଗଂଜାମ : କଟକରୁ ରାଜଧାନୀ ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି ଜିନିଷ ଜବତ ହୋଇଛି । ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ । ପ୍ରଥମେ ବୋତଲ ଦେଖି ଭାବିବେ ଏହା ‘ଶାଲିମାର’ ନଡ଼ିଆ ତେଲ ବୋତଲ କିନ୍ତୁ ସେଥିରେ ନାଁ ଲେଖା ହୋଇଛି ‘ଶିବାନୀ’। ଏପରି ଅପମିଶ୍ରିତ ତେଲ ତିଆରି କରୁଥିଲେ ବାପପୁଅ । ଖବର ପାଇ ପୋଲିସ ଚଢ଼ାଉ କରିବା ସହ କମ୍ପାନୀକୁ ସିଜ୍ କରିଛି ଏବଂ ବାପପୁଅଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ ଗତ କିଛି ବର୍ଷ ଧରି ବ୍ରହ୍ମପୁର ବଡ଼ବଜାରରେ ଏକ ଛୋଟ ଘରେ ପ୍ରସ୍ତୁତ ହେଉଥିଲା ଏହି ଅପମିଶ୍ରିତ ତେଲ । ପ୍ରସ୍ତୁତକର୍ତ୍ତା ଶାଲିମାର ନଡିଆ ତେଲ ଆଣି ସେଥିରେ ଲିକ୍ୱିଡ ପାରାଫିନ ଓ ଅନ୍ୟାନ୍ୟ ପୋଡା ତେଲ ମିଶାଇ ଏହି ନଡ଼ିଆ ତେଲ ପ୍ରସ୍ତୁତ କରୁଥିଲେ । ଯେପରିକି କେହି ଏହା ଉପରେ ସନ୍ଦେହ ନ କରିବେ ସେଥିନିମନ୍ତେ କେବଳ ବାସନା ପାଇଁ ଶଲିମାର୍ ନଡ଼ିଆ ତେଲ ମିଶା ଯାଉଥିଲା ବୋଲି ଜଣାପଡିଛି ।
ତେବେ ଶାଲିମାର କମ୍ପାନୀ ପକ୍ଷରୁ ଜାଣିବାପରେ ତାଙ୍କ ଲିଗାଲ ଟିମ୍ ପକ୍ଷରୁ ବଡ ବଜାର ଥାନାରେ ଅଭିଯୋଗ ଦିଆଯାଇଥିଲା। ପରେ ପୁଲିସ ସନ୍ଧାନ କରି ଶାସ୍ତ୍ରୀ ନଗର ଥିବା ନକଲି ନଡ଼ିଆ ତେଲ କମ୍ପାନୀ ଉପରେ ଚଢ଼ାଉ କରିଛି। ବ୍ରାଣ୍ଡ, ଟ୍ରେଡ ମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ନକଲି ତେଲ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ଲିକ୍ୱିଡ ପାରାଫିନ, ଅନ୍ୟାନ୍ୟ ପୋଡା ତେଲ, ଯନ୍ତ୍ରପାତି, କାଗଜପତ୍ର ଆଦି ଜିନିଷ ଜବତ ହୋଇଥିଲା ।