ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବୁଧବାର ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହେବ। ଓଡିଶାର ଗୋଟିଏ ଆସନ ସହିତ ଅନ୍ୟ ରାଜ୍ୟକୁ ମିଶାଇ ମୋଟ୍ ୧୨ ଆସନ ପାଇଁ ଏହି ଉପନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ଅନୁସାରେ ୯ଟି ରାଜ୍ୟ(ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ତ୍ରିପୁରା, ହରିୟାଣା ରାଜସ୍ଥାନ, ବିହାର, ତେଲେଙ୍ଗାନା ଓ ଓଡିଶା)ର ୧୨ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ କରାଯିବ।
ବିଜ୍ଞପ୍ତି ଅନୁଯାୟୀ, ଉପନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ନାମାଙ୍କନ ଦାଖଲର ଶେଷ ଦିନ। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ।
ସୂଚନାଯୋଗ୍ୟ, ଗତ ୩୧ ତାରଖ ଦିନ ମମତା ମହାନ୍ତ ଉଭୟ ବିଜୁ ଜନତା ଦଳ (ବିଜେଡି) ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲା ପରେ ଓଡ଼ିଶା ପାଇଁ ଗୋଟିଏ ଆସନ ଖାଲି ପଡିଛି। ଏହାରି ମଧ୍ୟରେ ମମତା ମହାନ୍ତ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇସାରିଛନ୍ତି। ଆଗାମୀ ଦିନରେ ଓଡ଼ିଶାରୁ କିଏ ରାଜ୍ୟସଭା ସାଂସଦ ହେବେ ତାହା ଦେଖିବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି।