ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ-୨୦୨୪ରେ ମଥୁରା ଲୋକସଭା ନିର୍ବାଚନ କ୍ଷେତ୍ରରୁ ଡ୍ରିମ୍ ଗାର୍ଲ ହେମା ମାଳିନୀ ପୁଣି ଥରେ ବିଜୟିନୀ ହୋଇଛନ୍ତି। ହେମାଙ୍କ ଏହି ବିଜୟ ପରେ ଝିଅ ଈଶା ଦେଓଲ ଉତ୍ସାହିତ ହେବା ସ୍ୱାଭାବିକ। ସେ ମା’ ହେମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସାମାଜିକ ଗଣମାଧ୍ୟମ ‘ଇନ୍ଷ୍ଟାଗ୍ରାମ୍’ରେ ଏକ ଫଟୋ ସହିତ ଏହାର ଶୁଭେଚ୍ଛା ନେଇ ଏକ ବାର୍ତ୍ତା (କଙ୍ଗରାଚୁଲେସନ୍ ମାମା ହ୍ୟାଟ୍ ଟ୍ରିକ୍) ଲେଖିଛନ୍ତି। ମଥୁରାରୁ କ୍ରମାଗତ ୩ଥର ବିଜୟୀ ହେବା ପଛରେ ବିଜେପି ନେତା, କର୍ମୀଙ୍କ ସମର୍ଥନ ରହିଛି । ସେହିପରି ମଥୁରାବାସୀ ହେମାଙ୍କୁ ବିପୁଳ ଆଶୀର୍ବାଦ କରିଛନ୍ତି।
କ୍ରମାଗତ ୩ୟ ଥର ବିଜୟୀ ହେଲା ପରେ ହେମା ମାଳିନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏହି ବିଜୟ ନେଇ ମୁଁ ବହୁତ ଖୁସି ଅନୁଭବ କରୁଛି। ଜନତାଙ୍କ ସେବା କରିବା ପାଇଁ ମୁଁ ତୃତୀୟ ଥର ସୁଯୋଗ ପାଇଛି । ଜନତା ଓ ଦଳର କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ହେମା ମାଳିନୀ ଏଥର ରେକର୍ଡ ଭୋଟ୍ ପାଇଛନ୍ତି। ସେ ୫,୧୦,୦୬୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ମୁକେଶ ଧାଙ୍ଗରଙ୍କୁ ୨,୯୩,୪୦୭ ଖଣ୍ଡ ଭୋଟ୍ରେ ବିଜୟୀ ହେଇଛନ୍ତି। ହେମା ମାଳିନୀ ତାଙ୍କର ରାଜନୈତିକ କ୍ୟାରିୟର ୧୯୯୯ ମସିହାରେ ଆରମ୍ଭ କରିଥିଲେ । ୨୦୦୩ରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କ ଦ୍ୱାରା ସେ ୬ ବର୍ଷ ପାଇଁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ୨୦୦୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ସେ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।