ଭୁବନେଶ୍ୱର: ରାଜଧାନୀ ରାଜ ରାସ୍ତା ଉପରେ ବେପରୁଆ ଭାବେ ଗାଡି ଚଳାଇ ଦେଖାଉଥିଲେ ହିରୋଗିରି । ଭୁବନେଶ୍ୱର ଛାତି ଉପରେ ଗାଡ଼ି ଏପଟୁ ଯାଉଛି ସେପଟକୁ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହା ପରେ କମିଶନରେଟ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଯୁବକ ଦୁଇଟି କାରରେ ରାସ୍ତା ଉପରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି । ରାମ ମନ୍ଦିରରୁ ରୁପାଲି ଛକ ପର୍ଯ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଉ ଥିବାର ଭିଡ଼ିଓ ଭାଇରାଲ ହୋଇଛି । ଏମିତିକି ଦ୍ରୁତ ଗତିରେ ଯାଉଥିବା କାର ଫୁଟପାତ ଉପରକୁ ମାଡ଼ି ଯାଇଥିଲା । ଯଦି ଟିକେ ଅସାବଧାନତା ହୋଇଥାଆନ୍ତା ତାହା ହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ ଥିଲା ।
ତେବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ପରେ କମିଶନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାର୍ଡ ଏବଂ ଲକ୍ଷ୍ମୀ ସାଗରଥାନା ପୁଲିସର ମିଳିତ ଉଦ୍ୟମରେ ପୁଲିସ ୫ଜଣଙ୍କୁ ଗିରଫ କରିଛି । ଏହା ସହିତ OR14X4728 ନମ୍ବର ଥିବା ଧଳା ରଙ୍ଗର କାର ଏବଂ OD02CM4616 ନମ୍ବର ଥିବା ନାଲି ରଙ୍ଗର ଦୁଇଟି କାରକୁ ମଧ୍ୟ ଜବତ କରିଛି ପୋଲିସ । ସେପଟେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଜାଗାରେ ଖୋଜୁଛି ପୁଲିସ । ସୋସିଆଲ ମିଡିଆର ଭିଡ଼ିଓକୁ ଆଧାର କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।