ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ପରିଚିତ ଅଭିନେତ୍ରୀ ଆଦିତି ରାଓ ହାଇଦରୀ। ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ସିଦ୍ଧାର୍ଥଙ୍କ ସହ ବିବାହ କରିଛନ୍ତି। ଅଭିନେତ୍ରୀ ନିଜର ବିବାହ ଫଟୋ ସେୟାର କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ତୁମେ ମୋର ସୂର୍ଯ୍ୟ, ମୋର ଜହ୍ନ ଓ ମୋର ତାରା। ଉଭୟଙ୍କ ବିବାହର ଫଟୋ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଉଭୟ ଉଭୟଙ୍କ ନିରାଡ଼ମ୍ବର ବିବାହକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି।
ବିବାହର ଫଟୋରେ ରାଓ ହାଇଦରୀ ଗୋଲ୍ଡେନ ରଙ୍ଗର ଲେହଙ୍ଗା ପିନ୍ଧି ଥିବା ବେଳେ ସିଦ୍ଧାର୍ଥ ଧୋତି ଓ ଲୁଙ୍ଗି ପିନ୍ଧିଥିବା ଦେଖିବାକୁ ମିଳିଛି। ଦମ୍ପତ୍ତି ଦକ୍ଷିଣ ଭାରତୀୟ ରୀତି ନୀତିରେ ସୋମବାର ସକାଳେ ବିବାହ କରିଛନ୍ତି। ଅଭିନେତା ଓ ଅଭିନେତ୍ରୀ କୌଣସି ପଞ୍ଚତାରକା ହୋଟେଲ୍ ନୁହେଁ ବରଂ ଏକ ୪୦୦ ବର୍ଷ ପୁରୁଣା ମନ୍ଦିରରେ ସାତ ଫେରା ନେଇଛନ୍ତି।
ଆଦିତି ଓ ସିଦ୍ଧାର୍ଥଙ୍କ ପ୍ରେମ କାହାଣୀ ଫିଲ୍ମ ‘ମହା ସମୁନ୍ଦ୍ରମ’(୨୦୨୧)ର ସେଟ୍ରେ ଆରମ୍ଭ ହୋଇଥିଲା। ଆଦିତି ସାକ୍ଷାତକାର ସମୟରେ ନିଜର ଏବଂ ସିଦ୍ଧାର୍ଥଙ୍କ ସହ ପ୍ରେମ କାହାଣୀ ବିଷୟରେ କହିଥିଲେ, ସିଦ୍ଧାର୍ଥ ତାଙ୍କୁ ତାଙ୍କ ମାଆଙ୍କ ସ୍କୁଲରେ ପ୍ରେମ ନିବେଦନ କରିଥିଲେ। ଏହା ପରଠୁ ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ଼ ହୋଇଥିଲା।
ସୂଚନାଯୋଗ୍ୟ, ଆଦିତିଙ୍କ ଏହା ଦ୍ଵିତୀୟ ବିବାହ। ଏହା ପୂର୍ବରୁ ୨୦୦୨ରେ ଆଦିତିଙ୍କ ବିବାହ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହ ହୋଇଥିଲା।ପ୍ରାୟ ୧୦ ବର୍ଷ ଏକାଠି ରହିବା ପରେ ୨୦୧୩ରେ ଉଭୟ ବିଚ୍ଛିନ୍ନ ହୋଇଥିଲେ। ଏହା ପରେ ସତ୍ୟଦୀପ ୨୦୨୩ରେ ଫ୍ୟାସନ ଡିଜାଇନର ମସାବାଙ୍କୁ ବିବାହ କରିଥିଲେ। ଆଉ ଆଜି ଆଦିତି ଓ ସିଦ୍ଧାର୍ଥ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।