ରୁଗୁଡି ପଡ଼ା ସ୍ଥିତ ନିମା ପାଢ଼ୀଙ୍କ ଘରୁ ପାହୁର୍ ବାହାରି ମା' ସମଲେଶ୍ଵରୀଙ୍କ ମନ୍ଦିରରେ ପହଞ୍ଚିଥିଲା। ଶନିବାର ଘଣ୍ଟ, ଶଙ୍ଖ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ଇଷ୍ଟଦେବୀଙ୍କ ନୂଆଖାଇ ଖଞ୍ଜା ପହଞ୍ଚିଥିଲା। ତେବେ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗିହେବା ପରେ ତାକୁ ପ୍ରସାଦ ସ୍ୱରୂପ ଗ୍ରହଣ କରି ସମସ୍ତେ ନୂଆ ଖାଇଥାନ୍ତି ଏହା ପୁରାତନ କାଳରୁ ଚାଲି ଆସିଛି। ନୂଆଖାଇରେ ଲାଗି ହେବାକୁ ଥିବା ସମସ୍ତ ଜିନିଷ ଏହି ପାହୁର ଭାରରେ ରହିଥାଏ। ମା'ଙ୍କ ପାଇଁ ନୂଆ ଶାଢ଼ୀ, ଚୁଡ଼ି, ନୂଆ ଧାନ, ନୂଆ ଚୁଡ଼ା, କୁରେପତ୍ର ଓ ଅନ୍ୟାନ୍ୟ ଜିନିଷ ଏଥିରେ ଆସିଥାଏ। ମା'ଙ୍କ ନିକଟକୁ ପାହୁର ଭାର ପହଞ୍ଚାଇବା କାହିଁ ରାଜା ରାଜୁଡ଼ା ଅମଳରୁ ଚାଲିଆସୁଛି। ରାଜତନ୍ତ୍ର ଲୋପ ପାଇବା ପରେ ସମୟାନୁକ୍ରମେ ଏହି ପରମ୍ପରା ଲୋପପାଉଥିବା ଦେଖି ବଲାଙ୍ଗିର ସହର ଗତ ୩୫ ବର୍ଷ ତଳେ ରଗୁଡ଼ି ପଡ଼ାର ସୋମନାଥ ପାଢ଼ୀ ନିଜ ପ୍ରଚେଷ୍ଟାରେ ମା' ସମଲେଶ୍ଵରୀ, ପାଟଣେଶ୍ବରୀ ଓ ମା' ଦୁର୍ଗାଙ୍କ ମନ୍ଦିରକୁ ପାହୁର ଯାତ୍ରା ପୁନଃ ଆରମ୍ଭ କରିଥିଲେ। ସେହିଦିନ ଠାରୁ ତାଙ୍କର ପରିବାର ହିଁ ପାହୁର ଭାର ଦେଉଛନ୍ତି।