ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସ୍ପଷ୍ଟ ଲଘୁଚାପରେ ପରିଣତ ହୋଇଛି । ରବିବାର ସୁଦ୍ଧା ଏହା ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଗଭୀର ଅବପାତ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରିବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୧ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗ ଅନୁଯାୟୀ, ୮ ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏ ସବୁ ସ୍ଥାନରେ ୭୦ରୁ ୨୦୦ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୭୦ରୁ ୧୧୦ମିମି ଯାଏ ବର୍ଷା ହେବାର ସମ୍ଭାବନା ଅଛି ।
ସେହିପର ି୯ ତାରିଖରେ କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୋନପୁର, ବଲାଙ୍ଗିର, ବରଗଡ଼, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
୧୦ ତାରିଖରେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଢେଙ୍କାନାଳ, ବଲାଙ୍ଗିର, ଅନୁଗୁଳ, ସୋନପୁର, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ୧୧ ତାରିଖରେ ବି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି।