ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇସାରିଛି। ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଦେଓଗଡ ଜିଲ୍ଲାର ତିନୋଟି ବ୍ଲକ ଓ ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ତିନୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି।
ତେବେ ଶ୍ରୀ ଗଣେଶ ପୂଜା ଅବସରରେ ଦେଓଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଓ ଉପସ୍ଥିତ ଦେଓଗଡ କଲେକ୍ଟର ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ସୁସଜ୍ଜିତ ରଥର ଶୁଭାରମ୍ଭ କରିଥିଲେ। ତେବେ ସୁଭଦ୍ରା ଯୋଜନାକୁ ନେଇ ମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟା ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ।