ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାସହ ମୌସୁମୀ ରେଖା ମଧ୍ୟ ସକ୍ରିୟ ରହିଛି ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଦେଓଗଡ଼, ବୌଦ୍ଧ ଓ କଳାହାଣ୍ଡି ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଏହା ପରେ ଲଘୁଚାପ ଝାଡ଼ଖଣ୍ଡ ମୁହାଁ ହେଲେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢିବ।
ସେହିପରି ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ, ନୂଆପଡ଼ା ଓ ନବରଙ୍ଗପୁର ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୩୧ ତାରିଖ ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ତେବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସେପଟେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।