ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତା ପରିଡ଼ା ମୃତ୍ୟୁ ମାମଲାରେ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି । ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲକୁ ଅଧିକ ଯାଞ୍ଚ ପାଇଁ ଫୋରେନସିକ୍ ଲାବକୁ ପଠାଇବ କମିଶନରେଟ୍ ପୋଲିସ । କେତେ ଝିଅଙ୍କ ସହ ଶ୍ରୀଧରର ସଂପର୍କ ଥିଲା, ମୋବାଇଲରୁ ସ୍ପଷ୍ଟ ଜାଣି ହେବ । ସ୍ୱାମୀଙ୍କ ପରକୀୟା ସଂପର୍କରୁ କାରଣରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେଣୁ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଯୋଗ୍ୟ ଗତ ବୁଧବାର ରାତିରେ ମଧୁମିତା ଟ୍ରେନ୍ ଲାଇନ୍କୁ ଡେଇଁ ମୃତ୍ୟୁ ବରଣ କରିଥିଲେ । ତେବେ ଟ୍ରେନ୍ ଲାଇନ୍କୁ ଡେଇଁବା ପୂର୍ବରୁ ସେ ନିଜର ଇନ୍ଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଏହାର କାରଣ କହିଥିଲେ। ସେହି ଭିଡିଓ ସାମ୍ନାକୁ ଆସିବା ପରେ ମଧୁମିତାଙ୍କ ପରିବାର ଲୋକ ଓ ସାଙ୍ଗ ସାଥୀ ମଧୁମିତାଙ୍କ ସ୍ୱାମୀଙ୍କୁ ଦୋଷାରୋପ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।