ବଲାଙ୍ଗୀର: ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ପୂର୍ବତନ ସେନା କର୍ମଚାରୀ । ବଲାଙ୍ଗିର ସହର ତାଲପାଲି ପଡାରେ ରହୁଥିବା ପୂର୍ବତନ ସେନା କର୍ମଚାରୀ ସୁଧିର କୁମାର ଦାସ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଏକ ମିଛ ମାମଲାର ଶିକାର ହୋଇ ବର୍ତ୍ତମାନ ସେ ଅଭିଶପ୍ତ ଜୀବନ ଜିଉଁଥିବାବେଳେ ପ୍ରତିରକ୍ଷା ବିଭାଗ ତାଙ୍କୁ କୌଣସି ପ୍ରକାରେ ସହଯୋଗ କରୁନଥିବା ଅଭିଯୋଗ ଆଣିଛନ୍ତି ।
ଦିନେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦେଉଥିଲେ । ହେଲେ ଆଜି କହୁଛନ୍ତି ଇଚ୍ଛା ମୃତ୍ୟୁ ବରଣ କରିବି । କାରଣ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ୧୪ ବର୍ଷ ବିତେଇ ସାରିଲେଣି । କୋର୍ଟରୁ କୋର୍ଟ ଘୁରି ବୁଲିବା ପରେ ସରିଗଲାଣି ଜୀବନ ଯାକର ସଞ୍ଚୟ । ଏପରିକି ପତ୍ନୀଙ୍କ ସୁନାଗହଣା ଓ ବାପାଙ୍କ ପେନସନ ଟଙ୍କା ବି ସରିଗଲାଣି । ସେପଟେ ଚାକରି ନ ଥିବାରୁ ଏବେ ପରିବାର ଚଳାଇବା ହୋଇପଡୁଛି ବଡ଼ କଷ୍ଟକର । ଶେଷରେ କିଛି ଉପାୟ ନ ପାଇଁ ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ କରିଛନ୍ତି ନିବେଦନ ।
ଅଧିକ ପଢନ୍ତୁ: ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ହେବ ମାଟ୍ରିକ୍ ପରୀକ୍ଷା, ପ୍ରଶ୍ନ ଲିକ୍ ରୋକିବାକୁ କଡ଼ା ପଦକ୍ଷେପ
ସୁଧିରଙ୍କ ଅଭିଯୋଗ ମୁତାବିକ, ଗତ ୨୦୦୮ ମସିହାରେ ସେ ଭାରତୀୟ ସେନାରେ ଯୋଗଦାନ କରିଥିଲେ । କିନ୍ତୁ ୨୦୧୦ ମସିହାରେ ତଲିଉଡାର ଗ୍ରାମର କିଛି ବ୍ୟକ୍ତି ସଦର ଥାନାରେ ତାଙ୍କ ନାମରେ ମିଛ ଠକେଇ ମାମଲା ରୁଜୁ କଲେ । ଏହି ମାମଲା ଯୋଗୁଁ ସୁଧିରଙ୍କ ଚାକିରୀ ପଳାଇଛି। ଦୀର୍ଘ ୧୦ ବର୍ଷ ଧରି କୋର୍ଟରେ ମକଦ୍ଦମା ଲଢିବା ପରେ ତାଙ୍କ ସପକ୍ଷରେ ରାୟ ବାହାରିଲା । ସେହି ରାୟ ଲାଗୁ କରିବାକୁ ଅଦାଲତ ତରଫରୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱତେ ତାଙ୍କ କଥା କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । ଶେଷରେ ନ୍ୟାୟ ପାଇଁ କୋର୍ଟରୁ କୋର୍ଟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯିବା ପରେ ଏବେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ପରିବାର ସହ ଇଚ୍ଛାମୃତ୍ୟୁ କରିବା ପାଇଁ ସେ ନିବେଦନ କରିଛନ୍ତି ।