କଟକ: ଆସନ୍ତା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ତ୍ରୁଟି ଶୂନ୍ୟ ପରୀକ୍ଷା ପରିଚାଳନା ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଚଳିତ ଥର ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । କ୍ରମିକ ନମ୍ବର ଏବଂ ୱାଟର୍ ମାର୍କ ବ୍ୟବସ୍ଥା କରାଯାଇଛି । ଯାହା ଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ର ଏବଂ କେଉଁ ପିଲାର ପ୍ରଶ୍ନ ପତ୍ର ସବୁକିଛି ଜଣାପଡ଼ିବ ବୋଲି କହିଛନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ।
ସଭାପତିଙ୍କ ସୂଚନା ମୁତାବକ, ଚଳିତ ବର୍ଷ ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ପିଲା ପରୀକ୍ଷା ଦେବେ । ରାଜ୍ୟରେ ୩୧୪ଟି ନୋଡାଲ କେନ୍ଦ୍ର ରହିଥିବାବେଳେ ସେଥି ମଧ୍ୟରୁ ୨୧ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ବିଶେଷକରି ମାଓ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଥାନା ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳରେ ୭, ମାଲକାନଗିରିରେ ୪ଟା ଏବଂ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ୍ ସେଣ୍ଟର ରହିବ । ଫେବ୍ରୁଆରି ୧୨ରେ କେନ୍ଦ୍ରକୁ ପ୍ରଶ୍ନ ପଠାଯିବ ତାହା ୧୯ ଫେବ୍ରୁଆରି ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ । ପରୀକ୍ଷା ଦିନ ସକାଳ ୭ଟା ୩୦ରେ ନୋଡାଲ ସେଣ୍ଟରୁ ପ୍ରଶ୍ନ ପତ୍ର ଯାଇ ପରୀକ୍ଷା କେନ୍ଦ୍ରରେ ପହଁଚିବ ।
ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ କ୍ରମିକ ନମ୍ବର ଏବଂ ୱାଟର୍ ମାର୍କ ବ୍ୟବସ୍ଥା କରାଯାଇଛି । ବୁକଲେଟ୍ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍ (କୁଇକ୍ ରେସ୍ପନ୍ସ) କୋଡ୍ ନମ୍ବର ଏବଂ ଷ୍ଟାଟିକ୍ କ୍ୟୁ-ଆର୍ କୋଡ୍ ପ୍ରତି ପ୍ରଶ୍ନପତ୍ର ଉପରେ ରହିବ । ଯାହା ଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ର ଏବଂ କେଉଁ ପିଲାର ପ୍ରଶ୍ନ ପତ୍ର ସବୁକିଛି ଜଣାପଡ଼ିବ ।
ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ସେହିପରି କପି ରୋକିବାକୁ ୪ ଥାକିଆ ସ୍କ୍ୱାର୍ଡ ରହିବେ । କପି ରୋକିବାକୁ ୪ ପ୍ରକାରର ସ୍କ୍ୱାର୍ଡ ଗଠିତ ହେବ । ବୋର୍ଡ ପକ୍ଷରୁ ଗଠିତ ହେବ ୪୨ ଟି ସ୍କ୍ୱାର୍ଡ ମୋଟ ୧୭୨ ଟି ସ୍କ୍ୱାର୍ଡ ଗଠନ ହେବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ୭୦ ଟିମ୍, ବୋର୍ଡ ପକ୍ଷରୁ ୪୨ ଟିମ୍, ଶିକ୍ଷା ବିଭାଗ ଏବଂ ପୋଲିସ ପ୍ରଶାସନ ସ୍କ୍ୱାର୍ଡ ଟିମ୍ ଗଠନ କରାଯାଇଛି । ସିସିଟିଭିର ବ୍ୟବସ୍ଥା କରାଯିବା ସହିତ ମୋବାଇଲ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । କେବଳ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍ ମୋବାଇଲ୍ ନେଇପାରିବେ । କିନ୍ତୁ କୌଣସି ପରୀକ୍ଷା ନୀରିକ୍ଷକ ମୋବାଇଲ ନେଇପାରିବେ ନାହିଁ ।
ଅନ୍ୟପକ୍ଷରେ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୯ରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ସେହି ସମୟରେ ଅଧିକ ଛୁଟି ପଡ଼ୁଥିବାରୁ ମୂଲ୍ୟାଙ୍କନ ଟିକେ ବିଳମ୍ବରେ କରାଯିବ ବୋଲି କହିଛନ୍ତି ବୋର୍ଡ ଉପ ସଭାପତି ନିହାର ମହାନ୍ତି ।