ଶ୍ରୀମନ୍ଦିରରେ ଶେଷ ହେଲା ଛତିଶା ନିଯୋଗ ବୈଠକ । ଆସନ୍ତା ମେ' ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯିବ । ଅକ୍ଷୟ ତୃତୀୟ ଅବସରରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ଯକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଥାଏ । ଏଥିସହ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହିସବୁକୁ ଦୃଷ୍ଟିରେ ରଖି ବୁଧବାର ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା ।
ନୀତି ସବ୍ କମିଟିରେ ଚୂଡାନ୍ତ ହୋଇଥିବା ନୀତି ନିର୍ଘ ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇଥିଲା । ଏଥିସହ ଭକ୍ତମାନେ କିପରି ସୁବିଧାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଅକ୍ଷୟ ତୃତୀୟ ଦିନ ସମସ୍ତ ରୀତିନୀତି ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍କାଇଁ, ଏସପି ପିନାକ ମିଶ୍ର, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ସେବାୟତ ସଦସ୍ୟଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦାନ କରିଥିଲେ ।