ବସ୍ ସହ ଧକ୍କା ହେଲା କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଲଗାତାର ଭାବେ ବଢୁଛି ଦୁର୍ଘଟଣା । ଯାହାଫଳରେ କାହାର ଜୀବନ ଚାଲିଯାଉଛି ତ ଆଉ କାହାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଉଛି । ଯାତ୍ରୀବାହୀ ସରକାରୀ ବସ୍ ସହ ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରୁ ।
ସୂଚନା ଅନୁଯାୟୀ,ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଲୁଣିବାହାଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସରକାରୀ ବସ୍ ଝାରସୁଗୁଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ସେହି ସମୟରେ ଲୁଣିବାହାଲ ନିକଟରେ ବିପରୀତ ଦିଗରୁ ଏକ କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍ ଆସୁଥିଲା । କୌଣସି କାରଣ ବଶତଃ ଦୁଇ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପିକଅପ୍ ଭ୍ୟାନ୍ ର ଡ୍ରାଇଭର ଏବଂ ଅନ୍ୟଜଣେ ଲୋକ ଆହତ ହୋଇଥିଲେ । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।