ଦିନରେ କବାଡି ବାଲା ସାଜି ଥିବାବେଳେ ରାତିରେ କବାଟ ଖୋଲି ଲୁଟ କରୁଛି ଚୋର। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ବଲାଙ୍ଗୀରର ବିଭିନ୍ନ ଘରେ ତଥା ଟିଟିଲାଗଡ କାଳୀ ମନ୍ଦିରରେ କ୍ରମାଗତ ଭାବେ ୪ ଥର ଚୋରି ହୋଇଥିଲା । ତେବେ ଏହି ଘଟଣା ପରେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଲା । ତେବେ ଚୋରଟି ଦିନ ବେଳା କବାଡି ବାଲା ସାଜି ବିଭିନ୍ନ ଜାଗାରେ ନଜର ରଖୁଥିଲା ଏବଂ ରାତିରେ ଯୋଜନା ବଦ୍ଧ ଭାବେ ଚୋରି କରି ଆସୁଥିଲା । ତେବେ ଚୋର ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏହି ଚୋରି କରୁଥିଲେ ୪ ଜଣ । ଦିନରେ କବାଡି ବାଲା ସାଜି ନଜର ରଖିବା ପରେ ରାତିରେ ଚୋରି କରୁଥିଲେ । ତେବେ ଟିଟିଲାଗଡର ବିଭିନ୍ନ ଅଞ୍ଚଳରୁ ଚୋରି କରି ଆସୁଥିବା ଚାରି ଅଭିଯୁକ୍ତଙ୍କୁ ଟିଟିଲାଗଡ ପୋଲିସ କାବୁ କରିବାରେ ସଫଳ ହୋଇଛି । ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏହି ୪ ଚୋର ହେଉଛନ୍ତି ଗୋବିନ୍ଦ ଦେୱାର, ଅଜୟ ଦେୱାର୍, ମହେଶ ଦେୱାର ଓ ଆଶିଷ ବର୍ମା । ଛଅ ଗୋଟି ଚୋରି ମାମଲାରେ ଗିରଫ କରାଯାଇଛି। ତେବେ ଏହି ଚୋରଙ୍କୁ ଧରିବା ପାଇଁ ଟିଟିଲାଗଡ ଥାନା ଅଧିକାରୀ ଅବନୀ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି ଏବଂ ଏଥିରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରାଯିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ : ଚେକିଂ ବାଇକରୁ ଜବତ ହେଲା ୬ଲକ୍ଷ ୫୨ହଜାର ୮୦୦ ଟଙ୍କା