ବୁଧବାର ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍ ଉପରୁ ଜଣେ ଦଶମ ଶ୍ରେଣୀ ଛାତ୍ର ବାଳକ କାଉଡ଼ିଆ ନଦୀକୁ ଡେଇଁପଡିଛନ୍ତି । ନଦୀକୁ ଡେଇଁପଡିଥିବା ପିଲାଟି ଗୋପୀନାଥ କଲୋନୀର ଦିବାକର ମାନସିଂହଙ୍କ ପୁଅ ତ୍ରିଲୋଚନ ମାନସିଂହ ବୋଲି ଜଣା ପଡିଛି ।
ସୂତ୍ରରୁ ପ୍ରକାଶ ଯେ, ତ୍ରିଲୋଚନ ସାଇକେଲ ଯୋଗେ ନଦୀନିକଟକୁ ଆସି ବ୍ରିଜ୍ ଉପରେ ସାଇକେଲ, ଡ୍ରେସ୍, ମୋବାଇଲ, ଜୋତା ରଖି ନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ତୁରନ୍ତ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିବାକୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଦଳକୁ ସୂଚନା ଦେଇଥିଲେ । ଓଡ୍ରାଫ୍ ଦଳ ସର୍ଚ୍ଚ ଅପରେସନ୍ ଜାରିରଖିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିଖୋଜ ବାଳକ ବିଷୟରେ କୌଣସି ସୂଚନା ମିଳିନାହିଁ । ତେବେ ପାରାଦୀପ ଆଦର୍ଶଥାନା ପୋଲିସ ପିଲାଟିର ମୋବାଇଲ ଓ ପୋଷାକକୁ ଜବତ କରି ତଦନ୍ତ ଚଳାଇଛି ।