ପାରାଦୀପ ଖବରକାଗଜ ବିତରକ ସଂଘର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ବୁଧବାର ଶ୍ରମିକ ଦିବସ ଦିନ ସନ୍ଧ୍ୟାରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସଂଘର ସଭାପତି ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଉତ୍ସବକୁ ଉଦଘାଟନ କରିଥିଲେ।
ଏହି ଅବସରରେ ପାରାଦୀପ ବନ୍ଦର ଚିକିତ୍ସାଳୟର ଉପମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁର୍ଗା ପ୍ରସାଦ ସେଠୀ ଓ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା.ପ୍ରସନ୍ନ କୁମାର ସାମଲ ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ଦାସ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ଖବରକାଗଜ ବିତରକ ମାନଙ୍କ ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ଅନ୍ୟ ଅତିଥି ମାନେ ବିତରକ ସଂଘର କିପରି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ତାହାର କାମନା କରିଥିଲେ। ଏହି ଅବସରରେ ବିଶିଷ୍ଟ ପରିବେଷବିତ ତଥା ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ଅମରେଶ ନରେଶ ସାମନ୍ତଙ୍କୁ ସଙ୍ଘ ପକ୍ଷରୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ତେବେ ଏହି ଉତ୍ସବରେ ବିତରକ ସଂଘର ବହୁ ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।