କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟର ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଗାପୁର ଏକ୍ସପ୍ରେସୱେ ଦେଇ ବର୍ଦ୍ଧମାନ ଯାଉଥିବା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତେବେ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ସୌରଭ ଗାଙ୍ଗୁଲି ଦୁର୍ଗାପୁର ଏକ୍ସପ୍ରେସୱେ ଦେଇ ବର୍ଦ୍ଧମାନ ଯାଉଥିବା ବେଳେ ଦନ୍ତନପୁର ନିକଟରେ ଏକ ଟ୍ରକ୍ ତାଙ୍କ ଗାଡ଼ି ସାମ୍ନାକୁ ଆସିଯାଇଥିଲା । ଫଳରେ କାର ଚାଳକ ବାଧ୍ୟ ହୋଇ ବ୍ରେକ୍ ଲଗାଇଥିଲେ । ପଛରେ ଗାଙ୍ଗୁଲିଙ୍କ ସହିତ ଆସୁଥିବା ଅନ୍ୟ କାରଗୁଡ଼ିକ ପଛକୁ ପଛ ପରସ୍ପର ସହିତ ଧକ୍କା ହୋଇଥିଲା । ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ଦୁର୍ଘଟଣା ପରେ ଗାଙ୍ଗୁଲି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ରାସ୍ତା ଉପରେ ଛିଡ଼ା ହୋଇଥିଲେ । ଏହା ପରେ କାର୍ଯ୍ୟକ୍ରମକୁ ବାହାରିଥିଲେ ।