ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ପ୍ରଥମେ ମହମ୍ମଦ ଶାମିଙ୍କ ୫ ୱିକେଟ୍ ସଫଳତା ଏବଂ ପରେ ବ୍ୟାଟିଂ ଶୁଭମନ ଗିଲଙ୍କ ଅପରାଜିତ ଶତକ ବଳରେ ଭାରତ ବାଂଲାଦେଶକୁ ୬ ୱିକେଟରେ ହରାଇ ସହଜ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତୋହିଦ ହୃଦୟଙ୍କ ୧୦୦ ରନ ଓ ଜାକେର ଅଲ୍ଲୀଙ୍କ ୬୮ ରନ ବଳରେ ୨୨୮ ରନ କରିଥିଲା । ଜବାବରେ ଭାରତ ଗିଲଙ୍କ ଅପରାଜିତ ୧୦୧ ରନ ସହ କେଏଲ ରାହୁଲଙ୍କ ୪୧ ଓ ରୋହିତ ଶର୍ମାଙ୍କ ୪୧ ରନ ବଳରେ ୪୬.୩ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ବୋଲିଂରେ ମହମ୍ମଦ ଶାମି ୫ ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
୨୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଗିଲ୍ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ ଭାଗିଦାରୀରେ ୬୯ ରନ ଯୋଡିଥିଲେ । ଦ୍ରୁତ ବ୍ୟାଟିଂ କରୁଥିବା ରୋହିତ ଶର୍ମା ୩୬ ବଲରୁ ୭ ଚୌକା ସହ ୪୧ ରନ କରି ଆଉଟ୍ ହୋଇଥିଲେ । ଏହ ପରେ ବିରାଟ କୋହଲି ୨୨ ରନ ଓ ଶ୍ରେୟସ ଆୟର ୧୫ ରନ କରି ପାଭିଲିୟନ ଫେରିଥିଲେ । ଉପର କ୍ରମରେ ବ୍ୟାଟିଂ ସୁଯୋଗ ପାଉଥିବା ଅକ୍ଷର ପଟେଲ୍ ୮ ରନ କରି ଆଉଟ୍ ହୋଇଥିଲେ ।
୧୪୪ ରନରେ ୪ ୱିକେଟ୍ ହରାଇ ଚାପରେ ରହିଥିବା ଭାରତର ଇନିଂସକୁ ଗିଲ୍ ଓ କେଏଲ ରାହୁଲ ସମ୍ଭାଳିଥିଲେ । ଉଭୟ ପଞ୍ଚମ ୱିକେଟ ପାଇଁ ୮୭ ରନର ଭାଗିଦାରୀ କରି ବିଜୟ ସୁନିଶ୍ଚିତ କରିଥିଲେ । ଗିଲ୍ ୧୦୧ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି । ଏଥିରେ ୯ ଚୌକା ଓ ୨ ଛକା ସାମିଲ । ଦିନିକିଆ କ୍ୟାରିୟରରେ ଗିଲଙ୍କ ଲଗାତାର ଦ୍ୱିତୀୟ ଶତକ । ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚରେ ୧୧୨ ରନର ଇନିଂସ ଖେଳିଥିଲେ ଗିଲ୍ । ଅନ୍ୟପଟେ କେଏଲ ରାହୁଲ ୪୧ ରନର ଅପରାଜିତ ଉପଯୋଗୀ ଇନିଂସ ଖେଳିଥିଲେ । ଏହିପରି ଭାରତ ୪୬.୩ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ବାଂଲାଦେଶ ଇନିଂସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟ ଭୋଗି ୩୫ ରନ ଭିତରେ ପ୍ରଥମ ୫ ଓ୍ଵିକେଟ୍ ହରାଇଥିଲା। ଦଳର ଟପ୍ ଅର୍ଡର ଦୟନୀୟ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲେ। ସୌମ୍ୟ ସରକାର, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମୁସଫିକର ରହିମ ଖାତା ଖୋଲି ପାରି ନ ଥିଲେ। ମେହଦି ହାସନ ମିରାଜ ୫ ରନ କରିଥିବା ବେଳେ ତଞ୍ଜିଦ ହସନ ୨୫ ରନ କରି ଆଉଟ୍ ହୋଇଥିଲେ।
୩୫ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ଥିଲା ବାଂଲାଦେ। ତେବେ ତୋହିଦ ହୃଦୟ ଓ ଜାକେର ଅଲ୍ଲୀ ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି କ୍ରିଜରେ ଜମି ରହିବା ସହ ଦଳକୁ ବିପର୍ୟ୍ୟୟରୁ ଉଦ୍ଧାର କରିଥିଲେ। ଜାକେର ଅଲ୍ଲୀ ଓ ହୃଦୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତୀୟ ଦଳକୁ ନାକେଦମ ହେବାକୁ ପଡ଼ିଥିଲା। ୧୮୯ ରନ ସ୍କୋରରେ ଭାରତକୁ ଷଷ୍ଠ ସଫଳତା ପାଇଥିଲା। ଜାକେର ଅଲ୍ଲୀ ୬୮ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ଦୁଇ ବ୍ୟାଟର ଷଷ୍ଠ ଓ୍ଵିକେଟ୍ରେ ୧୫୪ ରନ ଯୋଡ଼ି ଦଳର ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ। ୪୩ତମ ଓଭରରେ ଶାମି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ।
ଅନ୍ୟପଟେ ହୃଦୟ ଆହତ ହୋଇଥିଲେ ହେଁ କ୍ରିଜରେ ଜମି ରହି ନିଜ ୧୧୪ ବଲରୁ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ରିସାଦ ହୁସେନ ୧୮ ରନ କରି ଆଉଟ୍ ହୋଇଥିଲେ। ହୃଦୟ ୧୧୮ ବଲ୍ରୁ ୬ ଚୌକା ଓ ୨ ଛକା ସହ ୧୦୦ ରନର ଲଢୁଆ ଇନିଂସ ଖେଳିଥିଲେ। ହୃଦୟଙ୍କୁ ଆଉଟ୍ କରି ଶାମି ବାଂଲାଦେଶ ଇନିଂସର ଇନିଂସ ୨୨୮ ରନରେ ଅନ୍ତ ଘଟାଇଥିଲେ ଶାମି।
ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ଓଭରରେ ୫୩ ରନ ଦେଇ ୫ ସଫଳତା ସହ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ହର୍ଷିତ ରାଣା ୩୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲଙ୍କୁ ୨ଟି ଓ୍ଵିକେଟ୍ ମିଳିଛି। ନିଜର ୫ ସଫଳତା ବଳରେ ମହମ୍ମଦ ଶାମି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି।