ନୂଆଦିଲ୍ଲୀ: ଗୁରୁବାର ଭାରତୀୟ କ୍ରିକେଟ୍ ଦଳ ବାଂଲାଦେଶ ବିପକ୍ଷ ମ୍ୟାଚରୁ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିବ । ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିଭଳି ରହିବ ତାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ବିଶେଷ କରି ଭାରତୀୟ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ ରହିଛି । ପ୍ଲେଇଙ୍ଗ ଇଲେଭେନରେ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟସ ଆୟର ଉପର କ୍ରମରେ ବ୍ୟାଟିଂ କରିବା ସୁନିଶ୍ଚିତ । ଏହା ପରେ ବ୍ୟାଟିଂ ଅର୍ଡରରେ ଅଲରାଉଣ୍ଡର ଓ ବୋଲର ରହିଛନ୍ତି । ଦଳରେ ୱିକେଟ୍ କିପର ବ୍ୟାଟର ଭାବେ କାହାକୁ ସୁଯୋଗ ମିଳିବ ତାକୁ ନେଇ ଅଧିକ ଚ ଚର୍ଚ୍ଚା ଲାଗି ରହିଛି ।
ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଋଷଭ ପନ୍ତଙ୍କ ଅପେକ୍ଷା କେଏଲ ରାହୁଲଙ୍କୁ ଅଗ୍ରାଧିକାର ମିଳିପାରେ । ଏମିତି ହେଲେ ପନ୍ତଙ୍କୁ ବାହାରେ ବସିବାକୁ ପଡିପାରେ । ଏହା ବାଦ୍ ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ୍ ଖେଳିବା ସୁନିଶ୍ଚିତ । ଏହିପରି ୱାଶିଂଟନ ସୁନ୍ଦରଙ୍କୁ ବେଞ୍ଚରେ ବସିବାକୁ ପଡିବ । ଅନ୍ୟପଟେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ କାହାକୁ ଚୟନ କରାଯିବ ତାହା ଦେଖିବାର ବିଷୟ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଥମ ସପନ୍ଦ ହେଉଛି କୁଲଦୀପ ଯାଦବ, ମାତ୍ର ହେଡ୍ କୋଚ୍ ଗମ୍ଭୀରଙ୍କ ପସନ୍ଦ ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ ।
ଏହା ବ୍ୟତୀତ ଦ୍ରୁତ ବୋଲର ଭାବେ ହର୍ଷିତ ରାଣାଙ୍କୁ ବାହାରେ ବସିବାକୁ ପଡିପାରେ । ଗତ ଦିନରେ ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳି ଭାବେ ହର୍ଷିତଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ମୁସ୍କିଲ ଲାଗୁଛି । ଅନ୍ୟପଟେ ଅର୍ଶଦୀପ ସିଂଙ୍କ ଖେଳିବା ସୁନିଶ୍ଚିତ ଲାଗୁଛି ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ(ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଅର୍ଶଦୀପ ସିଂ ।