ବିକେନେର: ରାଜସ୍ଥାନର ଭାରୋତ୍ତଳନରେ ସୁନାମ ଅର୍ଜନ କରିଥିବା ଜଣେ ଖେଳାଳୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଯେଉଁ ଭାର ତାଙ୍କୁ ଦିନେ ପରିଚୟ ଦେଇଥିଲା ସେହି ଖେଳ ତାଙ୍କ ପାଇଁ କାଳ ହୋଇଯାଇଛି । ଜିମରେ ଭାରୋତ୍ତଳନର ଅଭ୍ୟାସ କରୁଥିବାବେଳେ ବିକାନେର ଜାତୀୟ ସ୍ତରର ଖେଳାଳୀ ୟଷ୍ଠିକା ଆଚାର୍ୟ୍ୟଙ୍କର ମୃତ୍ୟୁ ହୋଇଛି । ଯାହାର ଭିଡ଼ିଓ ଦେଖିବାପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।
୧୭ ବର୍ଷିୟା ୟଷ୍ଟିକା ଜିମରେ ଭାରୋତ୍ତଳନର ଅଭ୍ୟାସ କରୁଥିଲେ । ୨୭୦ କିଲୋଗ୍ରାମ ଭାରକୁ ସେ ନିଜରେ ହାତରେ ଉଠାଇବାକୁ ପ୍ରୟାସ କରୁଥିଲେ । ତାଙ୍କ ପାଖରେ ତାଙ୍କର ଜିମ୍ ପ୍ରଶିକ୍ଷକ ମଧ୍ୟ ଥିଲେ । ମାତ୍ର ଏହି ସମୟରେ ସେ ଭାରକୁ ସଠିକ୍ ଭାବେ ଉଠାଇ ପାରି ନ ଥିଲେ । ଫଳରେ ୨୭୦ କିଲୋଗ୍ରାମର ଭାର ସମ୍ପୂର୍ଣ୍ଣ ତାଙ୍କ ବେକ ଉପରେ ପଡ଼ିଯାଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ପରିବାର ପକ୍ଷରୁ କୌଣସି ମାମଲା ରୁଜୁ କରାଯିବ ନାହିଁ ସ୍ପଷ୍ଟ କରାଯାଇଛି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ସେମାନେ ସିସିଟିଭି ଫୁଟେଜ୍ ଦେଖିବାକୁ ଦାବି କରିଛନ୍ତି ।
ୟଷ୍ଟିକା ଜୁନିୟର ବର୍ଗରେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୨୪ ଅକ୍ଟୋବର ରେ ଗୋଆରେ ଅନୁଷ୍ଠିତ ନ୍ୟାସନାଲ ବେଞ୍ଚ ପ୍ରେସ୍ ଚାମ୍ପିଅନସିପରେ ସବ୍ ଜୁନିୟର୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ପ୍ରଶିକ୍ଷଣ ନେଉଥିବାବେଳେ କେବଳ ତାଙ୍କର ଜଣେ ପ୍ରଶିକ୍ଷକ ପାଖରେ ଥିଲେ । ଆଉ ଦୁଇ ତିନି ଜଣ ଝିଅ ପାଖରେ ଛିଡ଼ା ହୋଇଥିଲେ । ଯାହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।
ତେବେ ୟଷ୍ଟିକାଙ୍କ ମୃତ୍ୟୁକୁ ନେଇ ଅନେକ ବରିଷ୍ଠ ଭାରୋତ୍ତଳନକାରୀ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଧ୍ୟାନ ଦିଆଯିବା କଥା ବୋଲି ମତ ପ୍ରକାଶ କରିଛନ୍ତି । ଉତ୍ତର ପ୍ରଦେଶର ଭାରୋତ୍ତଳନକାରୀ ଅନୁଜ କୁମାର ଆଜ୍ ତକ୍ ସହିତ ଆଲୋଚନାରେ କହିଛନ୍ତି ପ୍ରଶିକ୍ଷଣ ସମୟରେ ଶକ୍ତିଶାଳୀ ଲୋକଙ୍କୁ ନିୟୋଜିତ ରହିବା ଉଚିତ । ଯେତେବେଳେ ପର୍ଯ୍ୟନ୍ତ ଶରୀର ସ୍ଥିର ନ ହୋଇଛି ସେତେବେଳେ ଯାଏଁ ଭାର ଉଠାଇବା ଉଚିତ ନୁହେଁ । ଅନ୍ତର୍ଜାତୀୟ ଭାର ଉତ୍ତୋଳନ ନିୟମ ଅନୁସାରେ ଅତିକମରେ ୩ ଜଣ ଲୋକ ଉପସ୍ଥିତ ରହିବା ଉଚିତ । ଦୁଇ ଜଣ ଦୁଇ ପାର୍ଶ୍ୱରେ ଏବଂ ପଛରେ ଜଣେ ରହିବେ । ଖେଳାଳିଙ୍କର ସପୋର୍ଟ ଷ୍ଟାଫ୍ କିମ୍ବା କୋଚ୍ ଉପସ୍ଥିତ ରହିବା ଜରୁରୀ ।